Categories: ଖେଳ

ଟିମ୍‌ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ

ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍‌ କରିଛି। କମ୍‌ବ୍ୟାକ କରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଏହାକୁ ସଠିକ ପ୍ରମାଣିତ କରିଥିଲେ ଭାରତର ଓପନର୍‌ ମୟଙ୍କ ଅଗ୍ରୱାଲ ଏବଂ ଶୁବମାନ ଗିଲ। ଉଭୟ ଲଡୁଆ ବ୍ୟାଟିଂ କରି ଦଳକୁ ଭଳ ଷ୍ଟାଟ୍‌ ଦେଇଥିଲେ। ମୟଙ୍କ ଏବଂ ଶୁବମନ ପ୍ରଥମ ଉଇକେଟ ପାଇଁ ୮୦ ରନ୍‌ ଯୋଡି ଥିଲେ। ହେଲେ ପ୍ରଥମ ଉଇକେଟ ଭାବେ ଶୁବମାନ ଗିଲ ୪୪ ରନ୍‌ (୭୧ ବଲ୍‌, ୭ ଚଉକା, ୧ ଛକା) କରି ଆଉଟ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଖାତା ନ ଖୋଲି ଆଉଟ ହୋଇଥିଲେ। ସେହିପରି ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ବିରାଟ କୋହଲି ୪ ବଲ ଖେଳି ଖାତା ଖୋଲିବାକୁ ଅସମର୍ଥ ହେଇଥିଲେ। ଏଜାଜ ପଟେଲ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିଲେ। ଉଭୟ ପୂଜାରା ଓ କୋହଲି ଶୂନରେ ଆଉଟ ହେବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଓପନର୍‌ ମୟଙ୍କ କ୍ରିଜରେ ରହି ୧୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପରବର୍ତ୍ତୀ ୫୦ ରନ୍‌ ପାଇଁ ୭୭ ବଲର ସହାୟତା ନେଇଥିଲେ। ସେ ନିଜ ଇନିଂସ ଭିତରେ ୧୩ ଚୌକା ଓ ୩ ଛକା ମାରିଛନ୍ତି। ସେ ତାଙ୍କର ୪ଟି ଯାକ ଶତକ ଭାରତରେ ହିଁ ମାରିଛନ୍ତି। ମୟଙ୍କ ଶେଷଥର ଲାଗି ୨୦୧୯ରେ ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ। ଏହି ମ୍ୟାଚରେ ସେ ୨୪୩ ରନ୍‌ର ଇନିଂସ ଖେଳିଥିଲେ।

ସେହିପରି ଶ୍ରେୟସ ଆୟର ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ। ଉଭୟ ୮୦ ରନର ସହଭାଗିତା କରିଥିଲେ । କିନ୍ତୁ ଆୟର ୧୮ ରନ କରି ଆଉଟ ହେବା ପରେ ଦଳ ଉପରେ ପୁଣି ଚାପ ପଡିଯାଇଥିଲା। ପରେ ସତର୍କତାର ସହ ବ୍ୟାଟିଂ କରିଥିଲେ ରିଦ୍ଧିମାନ ସାହା । ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ରିଦ୍ଧିମାନ ୨୫ ରନ୍‌ କରିଥିବା ବେଳେ ମୟଙ୍କ ୧୨୦ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୪ ଉଇକେଟ ନେଇଥିଲେ।

Share