ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ

ମହାକାଳପଡ଼ା,୫ା୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୀନତି ଏବଂ ପୁଅ ଶୁଭକେଶ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରି ନିର୍ଧୂମ ଛେଚିଥିଲେ।

ଖବର ପାଇ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁନୁ ପଣ୍ଡା ଏବଂ କାଳିଆ ସିଂଙ୍କୁ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ ଉପସ୍ଥିତିରେ ଉଭୟଙ୍କର ଚିକିତ୍ସା ଚାଲିଛି। ଗୁଳିମାଡ଼ର କାରଣ କିଛି ଜଣାପଡ଼ିନାହିଁ। ପୋଲିସ ତଦନ୍ତ ଜାରି ରଖିଛି।