କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହେବାରୁ ଘରଟି ନଷ୍ଟ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ଘରେ ରହୁଥିବା ଜମୁନା ପ୍ରଧାନ ଓ ତାଙ୍କର ଦୁଇ ବର୍ଷର ପୁଅ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ସ୍ବର୍ଗତ ପ୍ରମୋଦ ପ୍ରଧାନଙ୍କ ଝିଅ ଯମୁନା ଶୁକ୍ରବାର ସକାଳେ ଗ୍ୟାସ ବଦଳରେ କାଠ ଚୁଲିରେ ରୋଷେଇ କରିଥିଲେ। ରୋଷେଇ ସାରିବା ପରେ ସେ ନିଜର ଦୁଇ ବର୍ଷର ପୁଅକୁ ଧରି ଗାଧୋଇବାକୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ଘର ଭିତରୁ ନିଆଁ ବାହାରୁଥିବା ଦେଖି ସେ ଦୌଡ଼ି ଆସିଥିଲେ। ମାତ୍ର ନିଆଁ ଭୟଙ୍କର ଭାବେ ଜଳୁଥିବାରୁ ଘର ଭିତରକୁ ପଶିବା ସମ୍ଭବ ହୋଇ ନ ଥିଲା। ଏହାର କିଛି ସମୟ ପରେ ଘର ଭିତରେ ଥିବା ଗ୍ୟାସ୍‌ ସିଲିଣ୍ଡରଟି ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାଠ ଚୁଲିର ନିଆଁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ ଲାଗିବା ଯୋଗୁ ଏଭଳି ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡରେ ଘରର ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share