ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା ଶିକାରୀମାନଙ୍କୁ ବେଶ୍‌ ସୁହାଉଛି। ଅଭୟାରଣ୍ୟର ଜୋଡାଚୁଆ ଅଞ୍ଚଳରୁ ବନକର୍ମଚାରୀମାନେ ୩୮ କି.ଗ୍ରା ଓଜନର ଏକ ମୃତ ସମ୍ବର ସହ ଗୋଟିଏ ଦେଶୀ ବନ୍ଧୁକ, ଗୁଳି ଜବତ କରିଛନ୍ତି। ସମ୍ବର ଶିକାର ଅଭିଯୋଗରେ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି।
ବୁଧବାର ଅଭୟାରଣ୍ୟର ଜୋଡ଼ାଚୁଆ ଅଞ୍ଚଳରେ କେତେଜଣ ଶିକାରୀ ଯାଇଥିବା ବନ ବଭାଗକୁ ଖବର ମିଳିଥିଲା। ଏନେଇ କୁଲଡ଼ିହା ରେଞ୍ଜର ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଫରେଷ୍ଟର ଉମାକାନ୍ତ ଜେନା, ଫରେଷ୍ଟଗାର୍ଡ଼ ଓ ସବୁଜବାହିନୀ ଏକ ଟିମ୍‌ ରାତି ପ୍ରାୟ ୧୦ଟାରେ ଚଢ଼ାଉ କରିଥିଲେ। ସେତିକିବେଳେ ବନକର୍ମଚାରୀଙ୍କୁ ଦେଖି ୨ଜଣ ଶିକାରୀ ଖସି ପଳାଇଥିଲେ। କେସିପୁର ପଞ୍ଚାୟତ ବେତକଟା ଅଞ୍ଚଳର ବସନ୍ତ ମଢ଼େଇ (୩୫)ଙ୍କୁ କର୍ମଚାରୀ କାବୁ କରିନେଇଥିଲେ। ତାଙ୍କ ପାଖରୁ ମୃତ ସମ୍ବର ଜବତ କରାଯାଇଥିଲା। ଏନେଇ ବନ ବିଭାଗ ଏକ ମାମଲା (ନଂ. ୭୩/୨୦-୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।