ଜଙ୍ଗଲରେ ନିଆଁ, ରାସ୍ତାରେ ହାତୀପଲ

ସମ୍ବଲପୁର,୨୭ା୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ହାତୀ ପଲ ୫୫ନଂ. ଜାତୀୟ ରାଜପଥର ମୁଣ୍ଢେର ଗ୍ରାମ ନିକଟ ରାସ୍ତାରେ ୧୫ ମିନିଟ ଛିଡା ହୋଇଥିବା ଜଣାପଡିଛି। ଏହି ପଲରେ ୩ଟି ଦନ୍ତା, ୮ଟି ମାଈ ହାତୀ ଓ ନବଜାତ ସହିତ ୬ଟି ଛୁଆ ଥିବା ସୂଚନା ମିଳିଛି। ବନ କର୍ମଚାରୀ ହାତୀ ଘଉଡାଇବାକୁ ଯାଇ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକୁ ଅଟକାଇଥିଲେ। ହାତୀ ପଲ ମୁଣ୍ଢେର ଗ୍ରାମ ନିକଟରେ ଥିବା ଟ୍ରେନ୍‌ ଲାଇନ ନିକଟତର ହେଉଥିବା ଦେଖି କାର୍ଯ୍ୟରତ ମହିଳା ଫରେଷ୍ଟ ଗାର୍ଡ କ୍ରିଷ୍ଣା ଖୁଣ୍ଟିଆ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅଧିକାରୀମାନେ ମାନେଶ୍ୱର ଓ ଯୁଯୁମୁରା ଷ୍ଟେଶନ ମାଷ୍ଟରଙ୍କ ସମେତ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ସେ ସମୟରେ ଏକ ମାଲ ଗାଡି ଆସୁଥିବାରୁ ଅଟକାଇବା ପାଇଁ ଗାର୍ଡ କ୍ରିଷ୍ଣା ଲାଇଟ୍‌ ମାରିବା ସହ କପଡ଼ା ଦେଖାଇ ଡ୍ରାଇଭରଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର ଗତି କମାଇ ମାଲଗାଡିକୁ ଧୀରେ ଧୀରେ ପାରି କରିଥିଲେ। ହାତୀ ପଲ ଜାତୀୟ ରାଜପଥ ଏବଂ ରେଳପଥ ମଝିରେ ଥିବା ଜଙ୍ଗଲରେ ରହିଛନ୍ତି। ବନ କର୍ମଚାରୀ, ଅଧିକାରୀ ହାତୀ ପଲଙ୍କ ଗତବିଧି ନିରୀକ୍ଷଣ କରିବା ସହ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଣ୍ଢେର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୩ଦିନ ହେବ ନିଆଁ ଲାଗିଛି। ଚତୁଃପାର୍ଶ୍ୱରେ ନିଆଁ ଲାଗିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ଗୁରୁବାର ଝାଙ୍କରପାଲି ଗ୍ରାମ ନିକଟରେ ହାତୀପଲ ରହିଥିବା ଦେଖିବାକୁ ମିଳିଥିଲା।