ରାଜଧାନୀ ସୁପରଫାଷ୍ଟରେ ନିଆଁ

ବାଲେଶ୍ୱର ଅଫିସ/ ଜଳେଶ୍ୱର,୧୩ା୫(ଡି.ଏନ.ଏ.): ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୨୨୮୨୪ ଡାଉନ୍‌ ରାଜଧାନୀ ଟ୍ରେନ୍‌ର ପେଣ୍ଟ୍ରିକାର୍‌ ଚକରେ ଶୁକ୍ରବାର ନିଅଁା ଲାଗିଯାଇଥିଲା। ହେଲେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌କୁ ବ୍ରେକ୍‌ ଦେଇ ଜଳେଶ୍ୱର ଷ୍ଟେଶନର ଅନତି ଦୂରରେ ଅଟକା ଯାଇଥିଲା। କେତେକ ଯାତ୍ରୀ ଭୟଭୀତ ହୋଇ ବଗିରୁ ଓହ୍ଲାଇ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ କେତେକ ଆହତ ହୋଇଥିବା ସୂଚନା ମିଳଛି।
ଟ୍ରେନ୍‌ ଦ୍ରୁତଗତିରେ ଚାଲିଥିବା ବେଳେ ପେଣ୍ଟ୍ରିକାର୍‌ ତଳେ ଥିବା ବ୍ରେକ୍‌ରେ ଘର୍ଷଣ ଯୋଗୁ ନିଅଁା ଲାଗିଥିବା କୁହାଯାଇଛି। ପ୍ରବଳ ରୌଦ୍ରତାପ ଓ ରେଳଧାରଣା ସହିତ ଘର୍ଷଣ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ରେଲଓ୍ବେ ସୂତ୍ରରୁ ଜଣାପଡ଼ିଛି। ଟ୍ରେନ୍‌ ୩ଟା ୩୪ମିନିଟରେ ଛିଡ଼ା ହୋଇ ପୁଣି ୩ଟା ୫୦ରେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ ଗାର୍ଡ, ଡ୍ରାଇଭର ଓ ଜଳେଶ୍ୱର ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲା ପରେ ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ଯାତ୍ରା ଆରମ୍ଭ କରିଥିଲା। ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର କୁମାର ମଣ୍ଡଳଙ୍କୁ ପଚାରିବାରୁ ଗ୍ରୀଷ୍ମଦିନ ଯୋଗୁ ଦ୍ରୁତଗାମୀ ଟ୍ରେନ୍‌ଗୁଡିକରେ ଏପରି ନିଅଁା ଲାଗୁଥିବା ସୂଚନା ଦେଇଛନ୍ତି।