ଘରେ ଶୋଇଥିବାବେଳେ ଲାଗିଲା ନିଆଁ, ଜଳିଗଲା ସ୍ପେୟାର ପାଟର୍‌ସ ଦୋକାନ ସହ ଦୋକାନୀଙ୍କ ଘର

ନନ୍ଦପୁର/ପାଡୁଆ,୧୧ା୬(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ଗଛ ଉପୁଡ଼ି କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ଥିବାବେଳେ ବୁଧବାର ରାତିରେ ପାଡୁଆ ବଜାରରେ ସୀମା ନାୟକଙ୍କ ସ୍ପେୟାର ପାଟର୍‌ସ ଦୋକାନରେ ନିଆଁ ଲାଗି ଦୋକାନ ଓ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ପାଇ ନନ୍ଦପୁର ଅଗ୍ନିଶମବାହିନୀ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲ ଅଗ୍ନିଯୋଦ୍ଧା ଥବୀର ଭୋଇ, ପ୍ରକାଶ କିଷାନ, କିରଣ ମହାରଣା, ଅମିତ ଦାସ, ଗାଡ଼ିଚାଳକ ଅଜୟ ପ୍ରଧାନ ପ୍ରମୁଖ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘରେ ଥିବା ସମସ୍ତ ଆସବାବପତ୍ର ଓ ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ସୀମାଙ୍କ ପରିବାର ଲୋକେ ରାତିରେ ଶୋଇଥିବାବେଳେ ନିଆଁ ଲାଗି ଯାଇଥିଲା। ଏଥିରେ ସୀମାଙ୍କ ୬ ଜଣିଆ ପରିବାର ସୁରକ୍ଷିତ ଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ପରିବାରଟି ସର୍ବସ୍ବାନ୍ତ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଦୋକାନ ଘର ଭିତରେ ଥିବା ଇଞ୍ଜିନ ଅଏଲ, ଟାୟାର ଆଦି ପ୍ଲାଷ୍ଟିକ୍‌ ସାମଗ୍ରୀ, ପେଟ୍ରୋଲ ଓ ଡିଜେଲ ନିଆଁକୁ ଅଧିକ ବ୍ୟାପକ କରିଥିଲା। ତହସିଲ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିବାକୁ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share