କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

କଟକ ଅଫିସ,୧।୨: କଟକ ତୁଳସୀପୁରର ଘରୋଇ ହସ୍ପିଟାଲ ‘ସନ୍‌’ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଏହି ନିଆଁ ଲାଗିଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଦୁଃଖଦ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ, କମିଶନର, ଡିସିପି, ବିଧାୟକ ପ୍ରମୁଖ ପହଞ୍ଚିଛନ୍ତି। ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛିି। ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଜଣାଇଛନ୍ତି।
ଅନ୍ୟପଟେ କଟକ ବିଧାୟକ ମହମ୍ମଦ ମୁକିମ କହିଛନ୍ତି, ନର୍ସିଂହୋମ ଉପରେ କିଚେନ, ଟ୍ରେନିଂ ସେଣ୍ଟର ଥିବା ବେଳେ ସେଠାରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାରୁ କେହି ଏଥିରେ ମୃତାହତ ହୋଇ ନାହାନ୍ତି। ତେବେ ନିଆଁ ଲାଗିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇ ପାରିନାହିଁ।