Categories: ଗଞ୍ଜାମ

କନିଷ୍ଠ ଡାକ୍ତରଙ୍କ ବିରୋଧରେ ଅଧ୍ୟକ୍ଷଙ୍କ ଏତଲା

ବ୍ରହ୍ମପୁର ଅଫିସ,୯।୫: ଏମକେସିଜି ମେଡିକାଲ କଲେଜ ଓ ହସ୍ପିିଟାଲର ଏମବିବିଏସ ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ର଼୍ୟାଗିଂ ଘଟଣା ଏବେ ଥାନାରେ ପହଞ୍ଚିଛି। ର଼୍ୟାଗିଂ କରାଯିବା ନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏମକେସିଜିର ଅଧ୍ୟକ୍ଷ ତଥା ଡିନଙ୍କ ପକ୍ଷରୁ ଏମକେସିଜିର ହାଉସ ଅଫିସର ତଥା କନିଷ୍ଠ ଡାକ୍ତର ବିଶ୍ୱବିକାଶ ସାହୁଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ଡା. ବିଶ୍ୱବିକାଶ ଘଟଣା ଦିନ ହଷ୍ଟେଲକୁ ଯାଇ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ର଼୍ୟାଗିଂ କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏହାପରେ ହଷ୍ଟେଲ କାଉନସିଲ ବୈଠକ ଡକାଯାଇଥିଲା। ଆଉ ବୈଠକରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଅବନୀକାନ୍ତ ମିଶ୍ର ଏନେଇ ବୈଦ୍ୟନାଥପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅଧ୍ୟକ୍ଷଙ୍କ ଏତଲାକୁ ଭିତ୍ତି କରି ପୋଲିସ ଥାନାରେ କେସ ନଂ ୧୩୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି। ସୂଚନା ଅନୁଯାୟୀ କିଛି ଦିନ ତଳେ ଏମକେସିଜିର ବରିଷ୍ଠ ଡାକ୍ତରୀ ଛାତ୍ରମାନେ ଦ୍ୱିତୀୟ ବର୍ଷର କନିଷ୍ଠ ଛାତ୍ରଙ୍କ ହଷ୍ଟେଲକୁ ଯାଇ ର଼୍ୟାଗିଂ କରିଥିବା ଅଭିଯୋଗ ହୋଇଥିଲା। ର଼୍ୟାଗିଂର ଶିକାର ଡାକ୍ତରୀ ଛାତ୍ରମାନେ ଆଣ୍ଟି ରେଗିଂ ସେଲରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏ ନେଇ ଏମକେସିଜିରେ ମିଳିତ ବୈଠକ ମଧ୍ୟ ହୋଇଥିଲା। ପ୍ରକୃତରେ ର଼୍ୟାଗିଂ ହୋଇଛି କି ନାହିଁ ସେ ନେଇ ସିସିଟିଭି ଫୁଟେଜ ସଂଗ୍ରହ ପାଇଁ ଏମକେସିଜି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଦୁଇ ଦିନ ତଳେ ସିସିଟିଭି ଫୁଟେଜ ମିଳିବା ପରେ ହଷ୍ଟେଲ କାଉନସିଲ ବୈଠକ ଡକାଯାଇ ଏତଲା ଦେବାକୁ ନିଷ୍ପତ୍ତି ହୋଇଥିଲା। ନିୟମ ଅନୁସାରେ ସଂପୃକ୍ତି କନିଷ୍ଠ ଡାକ୍ତରଙ୍କ ନାଁରେ ଏତଲା ଦିଆଯାଇଛି ବୋଲି ଏମକେସିଜିର ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି।