ନୂଆଦିଲ୍ଲୀ,୧୪ା୪(ପି.ଟି./ଲାଇଭ୍ ଲ): ଦେଶରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନଗୁଡ଼ିକରେ ମତଦାନ କେନ୍ଦ୍ରରେ ଭୋଟିଂ ଜାଲିଆତି ଏଡ଼ାଇବା ପାଇଁ ଫିଙ୍ଗରପ୍ରିଣ୍ଟ (ଅଙ୍ଗୁଳିଚିହ୍ନ) ସହ (ଆଇରିସ୍) ଚକ୍ଷୁପଟଳ ଆଧାରିତ ବାୟୋମେଟ୍ରିକ୍ ବ୍ୟବସ୍ଥା କରାଇବା ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ(ଇସି)ଙ୍କୁ ଜବାବ ମାଗିଛନ୍ତି।
ଜାଲିଆତି ଓ ଲାଞ୍ଚ କାରବାର ରୋକିବା ନିମନ୍ତେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ମତଦାନ କେନ୍ଦ୍ରରେ ଫିଙ୍ଗରପ୍ରିଣ୍ଟ ବ୍ୟବସ୍ଥା କରାଇବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏଥିରେ ଅଶ୍ୱିନୀ ଦର୍ଶାଇଛନ୍ତି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪ ଅଧୀନରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ଇସି ଫିଙ୍ଗରପ୍ରିଣ୍ଟ ଓ ଆଇରିସ୍ଭିତ୍ତିକ ବାୟୋମେଟ୍ରିକ୍ ଅଥେଣ୍ଟିକେଶନ୍କୁ କାର୍ଯ୍ୟକାରୀ କରାଇପାରିବେ। ଏହାଦ୍ୱାରା ମତଦାତାଙ୍କ ପରିଚୟ ଚିହ୍ନଟ ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇପାରିବ। ସେହିପରି ଭୋଟ ପାଇଁ ଅର୍ଥ କାରବାର, ଅବାଞ୍ଛିତ ପ୍ରଭାବ, ଜାଲିଆତି ଏବଂ ଜଣକ ବଦଳରେ ଅନ୍ୟ ଜଣେ ମତଦାନ କରିବା ଭଳି କାର୍ଯ୍ୟକଳାପକୁ ରୋକିହେବ ବୋଲି ସେ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି।
ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ବିଚାର କରିବାକୁ ରାଜି ହୋଇଛନ୍ତି। ସୋମବାର ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ଏହି ବ୍ୟବସ୍ଥା କରାଯାଇପାରିବ ନାହିଁ। ତେବେ ଆଗକୁ ହେବାକୁ ଥିବା ସଂସଦୀୟ ନିର୍ବାଚନ ଏବଂ/କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନଗୁଡ଼ିକରେ ଏଭଳି ପନ୍ଥା ଅନୁସରଣ କରାଯିବା ଉପରେ ପରୀକ୍ଷାନିରୀକ୍ଷା ଆବଶ୍ୟକ। ତେଣୁ କେନ୍ଦ୍ର, ନିର୍ବାଚନ ଆୟୋଗ ଓ ଅନ୍ୟ ରାଜ୍ୟଗୁଡ଼ିକୁ ଉକ୍ତ ଆବେଦନ ଉପରେ ଜବାବ ଦାଖଲ ପାଇଁ ନୋଟିସ କରାଯାଇଛି। ଖଣ୍ଡପୀଠ ଆହୁରି କହିଛନ୍ତି, ଭୋଟିଂ ସେଣ୍ଟରରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରାଗଲେ ଅନେକ ନିୟମଗତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଏପରି କି ଏହାଦ୍ୱାରା ବିପୁଳ ଆର୍ଥିକ ବୋଝ ମଧ୍ୟ ପଡ଼ିବ। କିନ୍ତୁ ଏହି ପ୍ରସଙ୍ଗ ବିଚାରଯୋଗ୍ୟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
ଯେ, ଆଇନଜୀବୀ ଅଶ୍ୱିନୀ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଫିଙ୍ଗରପ୍ରିଣ୍ଟ ସହ ଚକ୍ଷୁପଟଳ ଆଧାରିତ ବାୟୋମେଟ୍ରିକ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ସକାଶେ ଇସିଙ୍କ ସାମ୍ବିଧାନିକ କ୍ଷମତା ରହିଥିବା କହିଛନ୍ତି। ତାଙ୍କ ମତରେ ଭୋଟର ଆଇଡି ଆଧାରିତ ବ୍ୟବସ୍ଥାରେ ତ୍ରୁଟିବିଚ୍ୟୁତି ରହୁଥିବାରୁ ପରିବର୍ତ୍ତିତ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ୍ବାନ୍ ସିଟିଜେନ୍, ଓ୍ବାନ୍ ଭୋଟ (ଜଣେ ନାଗରିକ, ଗୋଟିଏ ଭୋଟ)ର କଡ଼ା ଅନୁପାଳନ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।