ପୋଲିସ ମାନୁନି କଟକଣା, ଜନସାଧାରଣଙ୍କୁ ଜରିମାନା

ସମ୍ବଲପୁର, ୧୧।୪(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏହାକୁ ମୁକାବିଲା ପାଇଁ ସରକାର ନୂଆ ଗାଇଡ୍‌ଲାଇନ କରିଛନ୍ତି। ୧୪ ଦିନିଆ ମାସ୍କ ପିନ୍ଧା ଅଭିଯାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସମ୍ବଲପୁର ଜିଲାରେ ଖୋଦ୍‌ ପୋଲିସ କରୋନା କଟକଣା ମାନୁ ନ ଥିବା ଦେଖାଯାଉଛି। ନିଜେ ଠିକ୍‌ରେ ମାସ୍କ ପିନ୍ଧୁ ନ ଥିବାବେଳେ ମାସ୍କ ଚେକିଂ ନାମରେ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ନିୟମ ଦୃଷ୍ଟିରୁ ପୋଲିସ କୌଣସି ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିପାରିବ ନାହିଁ। ଯଦି କୌଣସି ବ୍ୟକ୍ତି କଟକଣା ନ ମାନେ ତା’ ଉପରେ ଜରିମାନା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଦିଆଯାଇଛି। ହେଲେ କ୍ଷମତାର ଅପବ୍ୟବହାର କରି ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଚା, ଜଳଖିଆ ଦୋକାନରେ ଗ୍ରାହକମାନେ ଖାଇସାରିବା ପରେ ପୋଲିସ ଯାଇ ଫାଇନ କାଟୁଛି। ଏହାକୁ ନେଇ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି। ଲୋକେ ମାକ୍ସ ପିନ୍ଧି କିଭଳି ଖାଇବେ ବୋଲି ଯୁକ୍ତି କରୁଛନ୍ତି। ଅନ୍ୟପଟେ ଦୁଇଚକିଆ ଗାଡ଼ି ଆଗକୁ ଯାଇ ପୋଲିସ ଆରୋହୀ ଓ ବାଇକ୍‌କୁ ଟାଣି ଦେଉଥିବା ଘଟଣା ନଜରକୁ ଆସିଛି। ଏଥିଯୋଗୁ ବାଇକ୍‌ ଆରୋହୀ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସେହିପରି ମାସ୍କ ଚେକିଂ କରୁଥିବା ସମୟରେ ପୋଲିସ ନିଜେ ମାସ୍କ ପରିଧାନ କରୁନାହାନ୍ତି। କେତେକ ପୋଲିସ କର୍ମଚାରୀ ନାମକୁମାତ୍ର ଥୋଡ଼ିରେ ମାସ୍କ ଲଗାଇ ଜରିମାନା ଆଦାୟ କରୁଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ପୋଲିସ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। କାରଣ ପୋଲିସ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ। ଏ ନେଇ ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ଯତ୍ନବାନ ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯିବ।