ବଲାଙ୍ଗୀର, ୪/୧୧- (ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ସୁକ୍ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ନିଖୋଜ ଥିବା ଯୁବକ ଜଣକ ଏକ ଫାଇନାନ୍ସ କମ୍ପାନୀ ସେଲ୍ସ ଏକ୍ଜିକ୍ୟୁଟିଭ ଭାବରେ କାମ କରନ୍ତି l ତାଙ୍କ ନାମ ପ୍ରୀୟାନ୍ସ ମଲ୍ଲିକ (୨୯) l ଯୁବକ ଗାଧୋଉଥିବା ବେଳେ ନିଖୋଜ ଥିବା ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ହୋଇଥିଲା
ପ୍ରିୟାନ୍ସ ରବିବାର ଫାଇନାନ୍ସ କର୍ମଚାରୀମାନଙ୍କ ସହିତ ଲୋୟର ସୁକ୍ତେଲ ପ୍ରକଳ୍ପକୁ ଭୋଜି କରିବାକୁ ଆସିଥିଲେ l ସୁକ୍ତେଲ ଡ୍ୟାମର ତଳ ପୋଲ ନିକଟରେ କିଛି ଯୁବକ ଗାଧୋଉଥିଲେ l ସେଠାରେ ପ୍ରୀୟାଂଶ ଗାଧୋଇବା ସମୟରେ ନଦୀ ସୁଅରେ ଭାସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର ଏକ ଟିମ ମାଗୁରବେଡା ସୁକ୍ତେଲ ଡ୍ୟାମ ନିକଟରେ ପହଞ୍ଚି ରାତିରେ ଖୋଜାଖୋଜି କରିଥିଲେ। ଅଗ୍ନିଶମ ବିଭାଗ ଦୁଇ ଦିନ ଧରି ଖୋଜାଖୋଜି କଲାପରେ ନିଖୋଜ ଯୁବକଙ୍କୁ ଠାବ କରାଯାଇପାରି ନ ଥିଲା l ଆଜି ମଙ୍ଗଳବାର ସକାଳୁ ଲୋୟର ସୁକତେଲରେ ନଦୀ ମାଗୁର ବେଡ଼ା ଘାଟ ଠାରେ ମୃତ ଦେହ ଭାସୁ ଥିବା ଘୁଙ୍ଗି ଗାଁ ଲୋକେ ଦେଖିବାକୁ ପାଇଥିଲେ। ଗାଁ ଲୋକେ ପୋଲିସକୁ ସୂଚନା ଦେବା ପରେ ସଦର ପୋଲିସ ପହଞ୍ଚିଥିଲା। ଅନ୍ୟପଟେ ନିଖୋଜ ଯୁବକଙ୍କ ପରିବାର ଲୋକେ ପହଞ୍ଚିଛନ୍ତି l ସେମାନେ ଚିହ୍ନଟ କଲା ପରେ ପୋଷ୍ଟମର୍ଟମ ପାଇଁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ପଠାଯିବ ବୋଲି ସଦର ଥାନା ଆଇଆଇସି ରାଜ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
Dharitri – Odisha’s No.1 Odia Daily

