୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର ୨,୨୪୮କୋଟି ଟଙ୍କା ତୁରନ୍ତ ଫେରାଇବା ଲାଗି ଅର୍ଥ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ଏ ସଂକ୍ରାନ୍ତରେ ଅଗଷ୍ଟ ୧୮ରେ ଅର୍ଥ ବିଭାଗ ଅନୁସଚିବ ସୁନୈନା ସିଂ ପତ୍ର ଲେଖି ଦର୍ଶାଇଛନ୍ତି, ଅର୍ଥ ବିଭାଗର ନିଷ୍ପତ୍ତିକ୍ରମେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌)ରେ ୨୦୨୫-୨୬ ଆର୍ଥିକବର୍ଷରେ ଯେଉଁ ଅର୍ଥ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରି ନାହାନ୍ତି ତୁରନ୍ତ ଫେରାଇବାକୁ ହେବ। ଅନୁସଚିବ ସିଂ ପତ୍ରରେ କୃଷି, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଙ୍ଗଲ ଓ ପରିବେଶ, ସ୍ବାସ୍ଥ୍ୟ, ଉଚ୍ଚଶିକ୍ଷା, ଗୃହ ଓ ନଗର ଉନ୍ନୟନ, ମିଶନଶକ୍ତି, ପଞ୍ଚାୟତିରାଜ, ଯୋଜନା ଓ ସଂଯୋଜନ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଏସ୍‌ଏସ୍‌ଇପିଡି, ଏସ୍‌ସିଏସ୍‌ଟି, ଜଳସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ ଏବଂ ପୂର୍ତ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ତୁରନ୍ତ ସିଙ୍ଗଲ୍‌ ନୋଡାଲ ଏଜେନ୍ସି(ଏସ୍‌ଏନ୍‌ଏ) ଆକାଉଣ୍ଟର ବଳକା ଅର୍ଥ ଫେରାଇବାକୁ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌)ରେ ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରାୟ ୨୧ଟି ବିଭାଗ ୨ହଜାର ୨୪୮କୋଟି ଟଙ୍କା ଖର୍ଚ୍ଚ କରିପାରି ନ ଥିଲେ। ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତବର୍ଷ କିପରି ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌)ରେ ୨୫ହଜାର କୋଟି ଟଙ୍କା ଆସିିବ ତାକୁ ନେଇ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଜୁଲାଇ ୨୧ରେ ସବୁ ବିଭାଗର ସଚିବଙ୍କୁ ତାଗିଦା କରିଥିଲେ। ରାଜସ୍ବ ସଂଗ୍ରହ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗର୍ଗ, ସମସ୍ତ ସିଏସ୍‌ଏସ୍‌ କାର୍ଯ୍ୟକାରୀ ବିଭାଗ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ସହ ନିୟମିତ ସମନ୍ବୟ ରଖି କେନ୍ଦ୍ରୀୟ ଅଂଶର ସର୍ବାଧିକ ଅର୍ଥ କିଭଳି ମିଳିବ ସେଥିନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବଜେଟରେ ଧାର୍ଯ୍ୟ ୪୦,୦୪୦ କୋଟି ଟଙ୍କାରୁ ଅତି କମ୍‌ରେ ୨୫,୦୦୦ କୋଟି ଟଙ୍କା ଯେଭଳି ଆଦାୟ ହୋଇପାରିବ ତାହାକୁ ଗୁରୁତ୍ୱ ଦେବାକୁ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଅଂଶଧନ ଅର୍ଥ ଫେରାଇବାକୁ ନେଇ ଲୋକସେବା ଭବନରେ ଚର୍ଚ୍ଚା ଜୋର ଧରିଛି।

Dharitri – Odisha’s No.1 Odia Daily

Share