ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା ନିକଟରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ ମାଉଜର ମୁନରେ ସଂଗୃହୀତ ୧ ଲକ୍ଷ ୭ ହଜାର ଟଙ୍କା ୪ ଦୁର୍ବୃତ୍ତ ଝାମ୍ପି ନେଇ ପଳାଇ ଥିବା ନନ୍ଦପୁର ଥାନାରେ ଅଭିଯୋଗ ହୋଇଛି। ପୋଲିସ ଥାନା କେସ୍‌ ନଂ ୧୪୬/୨୦୨୬ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ନିଜେ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି।

ସୂଚନା ମୁତାବକ ନନ୍ଦପୁର ବ୍ଲକ ସଦରମହକୁମାରେ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର କାର୍ଯ୍ୟାଳୟ ରହିଛି। କମ୍ପାନୀ ତରଫରୁ ଅଞ୍ଚଳରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଋଣ ସାପ୍ତାହିକ ଓ ଦୈନିକ ଆଦାୟ ସୂତ୍ରରେ ପ୍ରଦାନ କରାଯାଇ ଥାଏ। ଏହି ପ୍ରକ୍ରିୟାରେ ଫାଇନାନ୍ସ କର୍ମଚାରୀ ଡାନିଏଲ ଖରା ଲମତାପୁଟ ବ୍ଲକ କୁମାର ଗନ୍ଧନା ପଞ୍ଚାୟତର ବିଭିନ୍ନ କ୍ଷେତ୍ର ବୁଲି ଋଣ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ପରଜାପାଲିବା-ବାଲିଆ ଗାଁ ମଧ୍ୟ ରାସ୍ତାରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ଦୁଇ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ମାଉଜର ଦେଖାଇ ତାଙ୍କୁ ମାରଧର କରିବା ସହ ତାଙ୍କଠାରୁ ସଂଗୃହୀତ ୧ ଲକ୍ଷ ୭ ହଜାର ଟଙ୍କା ଓ ମୋବାଇଲ ଝାମ୍ପି ନେଇ ଶୁକୁ ବ୍ରିଜ ଦେଇ କୋରାପୁଟ ଆଡ଼କୁ ଚାଲି ଯାଇଥିଲେ। ଘଟଣା ସମ୍ପର୍କରେ ଡାନିଏଲ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଥାନା କେସ ନଂ ୧୪୬/୨୦୨୬ ପ୍ରକାରେ ମାମଲା ରୁଜୁ କରି ଜିଲ୍ଲା ପୋଲିସ ମୁଖ୍ୟାଳୟର ବୈଷୟିକ ତଦନ୍ତ ଦଳର ସହାୟତା ନେଇ ତଦନ୍ତ କରୁଛନ୍ତି। ଖୁବ୍‌ଶୀଘ୍ର ପୋଲିସକୁ ସଫଳତା ମିଳିବ ବୋଲି ଥାନାଧିକାରୀ ତ୍ରିନାଥ ତୋଟା ପାଡ଼ିଆ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share