ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ କୌଣସି ଘରୋଇ ସଂସ୍ଥାକୁ କ୍ଷମତା ଦେଇପାରିବ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। ଅଦାଲତ କହିଛନ୍ତି, ଫାଇନାନ୍ସ କମ୍ପାନୀର ଗାଡ଼ି ଜବତ କରିବାର ଆଇନଗତ ଅଧିକାର କେବଳ ସିଭିଲ କୋର୍ଟ କିମ୍ବା ଆର୍ବିଟ୍ରେଟର ଭଳି ଆଇନସମ୍ମତ ପନ୍ଥା ମାଧ୍ୟମରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ରିକଭରି ଏଜେଣ୍ଟମାନେ ରାସ୍ତାରେ ଋଣଗ୍ରହୀତାଙ୍କୁ ଅଟକାଇ ଜବରଦସ୍ତ ଗାଡ଼ି ଛଡ଼ାଇନେଇ ପାରିବେ ନାହିଁ। ସମ୍ପତ୍ତି ପୁନଃ ଦଖଲ ସମ୍ବନ୍ଧୀୟ ନିୟମକୁ ଏହାର ଆକ୍ଷରିକ ଅର୍ଥରେ ଗ୍ରହଣ କରି ଏମିତି କାର୍ଯ୍ୟ କରିବାକୁ ଅନୁମତି ଦିଆଗଲେ, ଏହା ଏକ ଘରୋଇ ସଂସ୍ଥା ହାତରେ ସରକାରଙ୍କ ଭଳି ବଳପ୍ରୟୋଗ କ୍ଷମତା ଟେକିଦେବା ସଦୃଶ ହେବ। ଋଣ ନେଇଥିବା ବ୍ୟକ୍ତି ୪୫ଟି କିସ୍ତି ମଧ୍ୟରୁ ୩୧ଟି ପୈଠ କରିସାରିଥିବାବେଳେ ରାସ୍ତାରେ ବନ୍ଧୁକ ମୁନରେ ତାଙ୍କ ଗାଡ଼ି ଜବତ କରାଯାଇଥିଲା। ଆବେଦନକାରୀ ସଦାବ ଅହମଦଙ୍କ ରିଟ୍ ପିଟିଶନ୍କୁ ଗ୍ରହଣ କରି ଜଷ୍ଟିସ୍ ଜେ.ଜେ. ମୁନିର ଏବଂ ଇନ୍ଦ୍ରଜିତ ଶୁଳ୍କାଙ୍କ ଖଣ୍ଡପୀଠ ବିନା ସର୍ତ୍ତରେ ଗାଡ଼ି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲା ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଏଥିସହିତ ଜରିମାନା ସୁଧ ବିନା ଋଣ ପୁନର୍ଗଠନ କରିବାକୁ ଖଣ୍ଡପୀଠ ଫାଇନାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।