ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକର ମିଳିତ ମଞ୍ଚ ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ (UFBU) ପକ୍ଷରୁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଫଳରେ ସାଧାରଣ ଗ୍ରାହକ ଓ ବ୍ୟବସାୟୀଙ୍କୁ ବଡ଼ ଧରଣର ଆଶ୍ୱସ୍ତି ମିଳିଛି।
ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ଏବଂ ୟୁଏଫ୍ବିୟୁର ପ୍ରତିନିଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ \ ଆଲୋଚନା କରାଯାଇଥିଲା। ଭାରତୀୟ ବ୍ୟାଙ୍କ ସଂଘ ପ୍ରତିନିଧିମାନେ ଦାବିଗୁଡ଼ିକର ସକାରାତ୍ମକ ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ୟୁନିଅନ୍ ପକ୍ଷରୁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
ୟୁଏଫ୍ବିୟୁ ପକ୍ଷରୁ ଦୀର୍ଘଦିନରୁ କେତେକ ମୌଳିକ ଦାବିକୁ ନେଇ ସରକାର ଓ ବ୍ୟାଙ୍କ ପ୍ରବନ୍ଧକଙ୍କ ଉପରେ ଚାପ ସୃଷ୍ଟି କରାଯାଇ ଆସୁଥିଲା। ସେଥିମଧ୍ୟରୁ ପ୍ରମୁଖ ଦାବିଗୁଡ଼ିକ ହେଲା ମାସର ପ୍ରତ୍ୟେକ ଶନିବାରକୁ ବ୍ୟାଙ୍କ ଛୁଟିଦିବସ ଭାବେ ଘୋଷଣା କରିବା ଏବଂ ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା। ପୁରୁଣା ପେନସନ୍ଭୋଗୀଙ୍କ ପେନସନ୍ ଅପ୍ଡେଟ୍ କରିବା ଏବଂ ପେନସନ୍ ସ୍କିମ୍ରେ ସୁଧାର ଆଣିବା। ବ୍ୟାଙ୍କ ଶାଖାଗୁଡ଼ିକରେ ଖାଲିପଡ଼ିଥିବା ପଦବୀଗୁଡ଼ିକରେ ଶୀଘ୍ର ସ୍ଥାୟୀ ନିଯୁକ୍ତି। କର୍ମଚାରୀଙ୍କ କାର୍ଯ୍ୟଭାର କମାଇବା ସହ ଦରମା ରିଭିଜନ୍ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା।
ତେବେ ଧର୍ମଘଟ ସ୍ଥଗିତ ହେବା ପରେ ସୋମବାରଠାରୁ ଦେଶସାରା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ ଶାଖାଗୁଡ଼ିକ ନିୟମିତ ସମୟ ଅନୁସାରେ ଖୋଲା ରହିବ ଏବଂ ସମସ୍ତ ଆର୍ଥିକ କାରବାର ସୱାଭାବିକ ଭାବେ ପରିଚାଳିତ ହେବ।