ଭାଜପାରୁ ପିଙ୍କି ଓ ହରି, ବିଜେଡିରୁ କୁନା

କଟକ ଅଫିସ, ୧୭ା୩: କଟକ ମହାନଗର ନିଗମ(ସିଏମ୍‌ସି) ନିର୍ବାଚନ ପାଇଁ ବିଭିନ୍ନ ଓ୍ବାର୍ଡରେ ପ୍ରାର୍ଥୀମାନେ ଜୋର୍‌ଦାର୍‌ ପ୍ରଚାର ଚଳାଇଛନ୍ତି। ଏବେ ପ୍ରାର୍ଥୀଙ୍କ ସହିତ ଷ୍ଟାର ପ୍ରଚାରକମାନେ ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଶେଷକରି ପ୍ରାର୍ଥୀମାନେ ସହରବାସୀଙ୍କ ସମସ୍ୟା ଓ ପଛୁଆବର୍ଗ ଲୋକଙ୍କ ବିକାଶ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ବୁଧବାର ସିଏମ୍‌ସି ୨୪ନଂ. ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ଦୀପ୍ତିମୟୀ ମୂଳିଆ ଓ ମେୟର ପ୍ରାର୍ଥୀ ସୁବାସ ସିଂଙ୍କୁ ସମର୍ଥନ ଦେଇ ଷ୍ଟାର ପ୍ରଚାରକ ଭାବେ ଅଭିନେତା କୁନା ତ୍ରିପାଠୀ ପ୍ରଚାର କରିଛନ୍ତି। ଏଥିସହ ବିଜେଡି ପକ୍ଷରୁ ସାହିବାସିନ୍ଦାଙ୍କୁ ଏକତ୍ରିତ କରି ବୈଠକ କରାଯାଉଛି। ସେହିପରି ଭାଜପା ମଙ୍ଗ ଧରିଛନ୍ତି ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଅଭିନେତା ହରିହର ମହାପାତ୍ର। ଭାଜପା ମେୟର ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ସମର୍ଥନ ଦେଇ ଦୋଳମୁଣ୍ଡାଇରୁ ଶୋଭାଯାତ୍ରା କରି ଭୋଟରଙ୍କ ସମର୍ଥନ ଲୋଡିଛନ୍ତି। ଅପରପକ୍ଷେ ଏସ୍‌ୟୁସିଆଇ(ସି) ପ୍ରାର୍ଥୀ ବବି ବଳବନ୍ତରାୟ ହାଇକୋର୍ଟ ଓ କଚେରି ପରିସରରେ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ପ୍ରଚାରରେ ଆଇନଜୀବୀ ସୁକାନ୍ତ ନାୟକ, ବିଜୟ ରାଉତରାୟ, ପ୍ରତାପ ମିଶ୍ର, ଜିଲା ସମ୍ପାଦକ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ା