ଅନ୍‌ଲାଇନରେ ମାଟ୍ରିକ ଫର୍ମ ପୂରଣ

ଭୁବନେଶ୍ୱର, ୭।୧(ବ୍ୟୁରୋ) :ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। କରୋନା ମହାମାରୀ ଭିତରେ ଚଳିତବର୍ଷ ଫର୍ମ ପୂରଣ ଅନ୍‌ଲାଇନରେ ହେବ ବୋଲି କୁହାଯାଇଛି। ବିଜ୍ଞପ୍ତି ଅନୁସାରେ, ଜାନୁୟାରୀ ୧୦ରୁ ଫେବୃୟାରୀ ୨ ଯାଏ ଅନ୍‌ଲାଇନରେ ଫର୍ମ ପୂରଣ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅନ୍‌ଲାଇନରେ ଫର୍ମ ପୂରଣ କରିବେ। ରେଗୁଲାର, ଏକ୍ସ-ରେଗୁଲାର, କରେସ୍‌ପଣ୍ଡେନ୍ସ ରେଗୁଲାର ଓ ଏକ୍ସ-କରେସ୍‌ପଣ୍ଡେନ୍ସ ରେଗୁଲାର ପରୀକ୍ଷା ପାଇଁ ୧୦ ତାରିଖ ପୂର୍ବାହ୍ନ ୧୦ଟାରୁ ଫର୍ମ ପୂରଣ ଆରମ୍ଭ ହେବ। ତେବେ ବିନା ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ଜାନୁୟାରୀ ୨୮ ମଧ୍ୟରାତ୍ର ଓ ଫି’ ଦାଖଲର ଶେଷ ତାରିଖ ଜାନୁୟାରୀ ୨୭ ରାତି ୧୧ଟା ୪୫ ରହିଛି। ସେହିଭଳି ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ଫେବୃୟାରୀ ୨ ମଧ୍ୟରାତ୍ରି ରହିଥିବା ବେଳେ ଜାନୁୟାରୀ ୨୮ରୁ ଫେବୃୟାରୀ ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଫି’ ଦାଖଲ କରିପାରିବେ। www.bseodisha.ac.in ୱେବ୍‌ସାଇଟ୍‌ରେ ଫର୍ମ ପୂରଣ ପାଇଁ ଲିଙ୍କ୍‌ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଥିବା ସୂଚନା ଦିଆଯାଇଛି।
ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ପାଇଁ ୧୦୦ ଦିନ ପାଠ ପଢ଼ା ହେବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବ ନାହିଁ। ଏସବୁ ଦିନରେ ମଧ୍ୟ କ୍ଲାସ ଚାଲୁରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁୟାରୀ ୮ରୁ ଏପ୍ରିଲ ୨୬ ପର୍ଯ୍ୟନ୍ତ ପାଠପଢ଼ା ହେବ। ଦ୍ୱାଦଶ ପିଲାଙ୍କ ପାଇଁ ଜାନୁୟାରୀ ୮ରୁ ଏପ୍ରିଲ ୨୮ ଯାଏ ପାଠପଢ଼ା ହେବ।