Categories: Home Leftଖେଳ

ବିଶ୍ୱ ରାଙ୍କିଙ୍ଗରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ହାସଲ କଲା ଐତିହାସିକ ସଫଳତା

ନୂଆଦିଲ୍ଲୀ,୨୬।୧୧: ଭାରତର ମହିଳା ହକି ଦଳ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଇତିହାସ ରଚିଛି । ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତେବେଳେ ଭାରତୀୟ ମହିଳା ହକି ଦଳ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଟିମ ଇଣ୍ଡିଆ ଜାପାନକୁ ୪-୦ ଗୋଲରେ ପରାସ୍ତ କରି ଏହି ରାଙ୍କିଙ୍ଗ ହାସଲ କରିଛି । ଏହାର ଗୋଟିଏ ଦିନ ପୂର୍ୱରୁ ହିଁ ଭାରତ ପ୍ରଥମ ଥର ପାଇଁ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା ।

ମଙ୍ଗଳବାର ଦିନ ଭାରତ ଚାଇନା ବିପକ୍ଷରେ ୬-୨ ଗୋଲରେ ବିଜୟ ହାସଲ କରିଥିଲା । ସେହି ବିଜୟ ପରେ FIH ବିଶ୍ୱ ରାଙ୍କିଙ୍ଗରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ପଞ୍ଚମ ସ୍ଥାନରେ ପହଞ୍ଚିଥିଲା । ଅନ୍ୟପଟେ ବୁଧବାର ଦିନ ଜାପାନକୁ ୪-୦ ଗୋଲରେ ହରାଇ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନ ଦଖଲ କରିଛି । ଗତ ଦୁଇ ଦିନ ମଧ୍ୟରେ ରାଙ୍କିଙ୍ଗରେ ଭାରତ ସ୍ପେନ (୫) ଏବଂ ଜର୍ମାନୀ (୬) କୁ ପଛରେ ପକାଇ ଦେଇଛି ।

ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳ ସଲିମା ଟେଟେଙ୍କ ଅଧିନାୟକତ୍ୱରେ ଖେଳୁଛି । ଏପର୍ଯ୍ୟନ୍ତ ପୂରା ଟର୍ନାମେଣ୍ଟରେ ଟିମ ଇଣ୍ଡିଆ ଅପରାଜେୟ ରହିଛି ଏବଂ ନିଜର ସମସ୍ତ ୫ଟି ମୁକାବିଲା ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି । ଭାରତର ସେମିଫାଇନାଲ ମ୍ୟାଚ ନଭେମ୍ୱର ୨୭ ତାରିଖରେ ମାଲେସିଆ ସହିତ ହେବାକୁ ଅଛି । ଏଥର ମଧ୍ୟ ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫିର ଟାଇଟଲ ଜିତି ଭାରତ ଚାମ୍ପିଅନ ହେବାର ହ୍ୟାଟ୍ରିକ ଲଗାଇବ । ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ ଏହା ପ୍ରଥମ ଥର ହେବ ଯେତେବେଳେ କୌଣସି ଦଳ ଲଗାତାର ତିନି ଥର ଟ୍ରଫି ଜିତିଥିବ ।

ମହିଳା ହକିରେ ବର୍ତ୍ତମାନର ଅଲିମ୍ପିକ ଚାମ୍ପିଅନ ନେଦରଲ୍ୟାଣ୍ଡ୍ସ ନମ୍ୱର-୧ ରେ ଅଛି । ସେହିପରି ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ବେଲଜିୟମ ତୃତୀୟ ସ୍ଥାନରେ ରହିଛି । ଏହି ତିନୋଟି ଦଳ ପଏଣ୍ଟ ଦୃଷ୍ଟିରୁ ଚତୁର୍ଥ ସ୍ଥାନରେ ଥିବା ଭାରତଠାରୁ ବହୁତ ଆଗରେ ଅଛନ୍ତି । ଯଦି ଟିମ ଇଣ୍ଡିଆକୁ ଟପ-୩ ରେ ଏଣ୍ଟ୍ରି କରିବାକୁ ହୁଏ, ତେବେ ଏବେ ଲମ୍ୱା ବାଟ ଅତିକ୍ରମ କରିବାକୁ ପଡ଼ିବ ।

ଭାରତୀୟ ମହିଳା ହକି ଦଳ ପାଇଁ ୨୦୨୬ ବର୍ଷଟି ବେଶ ଚମତ୍କାର ରହିଛି । ଚଳିତ ବର୍ଷ ଟିମ ଇଣ୍ଡିଆ FIH ନେସନ୍ସ କପ ଜିତିବା ସହ ବିଶ୍ୱକପରେ ପଞ୍ଚମ ସ୍ଥାନ ହାସଲ କରିଛି, ଯାହା ୧୯୭୪ ପରେ ବିଶ୍ୱକପରେ ତାର ସର୍ୱଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଚଳିତ ବର୍ଷ ଭାରତୀୟ ମହିଳା ଦଳ ୪୪ ବର୍ଷ ପରେ ଏସିଆନ ଗେମ୍ସରେ ସୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ।

Share