ଅଧା ଜିତା ଲଢ଼େଇ

ବିଚିତ୍ର ବିଶ୍ୱାଳ

ବିଳମ୍ବରେ ହେଲେ ବି କୃଷି ଆଇନ ତିନୋଟିକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି। ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ କରିବାକୁ ପଡ଼ିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଖଲିସ୍ତାନୀ, ଆତଙ୍କବାଦୀ କୁହାଯାଇଛି। ଦେଶଦ୍ରୋହୀର ମିଛ ନିନ୍ଦା ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଛି। କେନ୍ଦ୍ରର କ୍ଷମତାସୀନ ଦଳ ଭାଜପା ଓ ତା’ର ଭକ୍ତମାନେ ଚାଷୀମାନଙ୍କୁ ନିନ୍ଦା କରିବାକୁ କୌଣସି ବି ସୁଯୋଗ ଛାଡ଼ିନଥିଲେ। କିନ୍ତୁ ଚାଷୀମାନେ ପଛକୁ ହଟି ନଥିଲେ, ଯାହାର ଫଳ ସାରା ଦେଶକୁ ମିଳିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଶାନ୍ତିପୂର୍ଣ୍ଣ ଭାବେ ସଂକଳ୍ପ ଓ ନିଷ୍ଠାର ସହିତ ଜନ ପକ୍ଷଧର ହୋଇ ଆନ୍ଦୋଳନ କଲେ କ୍ଷମତାର ଅହଂକାର ନିଶ୍ଚୟ ଧରାଶାୟୀ ହେବ। ଚାଷୀମାନଙ୍କର ଏହା ଏକ ଐତିହାସିକ ବିଜୟ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆମ ଦେଶର ଚାଷୀମାନଙ୍କ ଦୁର୍ଦ୍ଦଶାକୁ କେବଳ ଚାଷୀମାନଙ୍କ ସଂଗଠିତ ଶକ୍ତି ହଁି ଦୂର କରିପାରିବ। କୌଣସି ରାଜନୈତିକ ଦଳ ଚାଷୀଙ୍କ ସହିତ ନ ଥିଲେ କି ଆଜି ବି ନାହାନ୍ତି। ଚାଷୀଙ୍କ ଭବିଷ୍ୟତ କେବଳ ଚାଷୀଙ୍କ ହାତରେ ହଁି ଅଛି ବୋଲି ପ୍ରମାଣିତ ହୋଇଗଲା। ରାଜନୈତିକ ଦଳଙ୍କ ଇସ୍ତାହାର କି ପ୍ରତିଶ୍ରୁତି ନୁହେଁ, ସଙ୍ଗଠିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଦୀର୍ଘକାଳୀନ ଲଢ଼େଇ ହଁି ଚାଷୀଙ୍କୁ କ୍ରମାଗତ ଦୁର୍ଦ୍ଦଶାରୁ ମୁକ୍ତି ଦେଇପାରିବ।
ଚାଷୀମାନଙ୍କର ଧୈର୍ଯ୍ୟର ପରୀକ୍ଷା ନେଉଥିବା କେନ୍ଦ୍ର ସରକାର ହଠାତ୍‌ ଏପରି ଚାଷୀଙ୍କ ଦାବିକୁ ମାନିନେଇ ଆଇନ ତିନୋଟିକୁ ପ୍ରତ୍ୟାହାର କରିବା ପଛରେ ଅସଲ ଉଦ୍ଦେଶ୍ୟ ନିକଟ ଭବିଷ୍ୟତରେ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବୋଲି କୁହାଯାଉଛି। ଯଦିଓ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଚାଷୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ମୋଦିଙ୍କର ଏହି ଘୋଷଣା ପଛରେ ନିଶ୍ଚିତ ଭାବେ ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନର ଗନ୍ଧ ରହିଛି। ନିକଟ ଅତୀତରେ ହିମାଚଳ ପ୍ରଦେଶ, ରାଜସ୍ଥାନ, ପଞ୍ଜାବରେ ହୋଇଥିବା ଉପନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟ ପରେ ଭାଜପା ବୁଝିଯାଇଥିଲା ଯେ କୃଷି ଆଇନ ତିନୋଟିକୁ ନେଇ ଚାଷୀମାନଙ୍କ ଭିତରେ ପ୍ରଚୁର ଅସନ୍ତୋଷ ରହିଛି, ଯେଉଁଥିପାଇଁ ସେମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଲା। ଏତଦ୍‌ବ୍ୟତୀତ ୨୦୧୯ ନିର୍ବାଚନରେ ଭାଜପା ୪୪% ଚାଷୀଙ୍କର ଭୋଟ୍‌ ପାଇଥିଲା। ଅନ୍ୟ ବାକି ବୃତ୍ତିର ଲୋକମାନଙ୍କର ୪୩% ଭୋଟ ପାଇଥିଲା। ଅର୍ଥାତ୍‌ ସର୍ବାଧିକ ଚାଷୀମାନଙ୍କର ଭୋଟ୍‌ କେବଳ ଭାଜପାକୁ ଯାଇଥିଲା। ଉପନିର୍ବାଚନରେ ପରାଜୟ ପରେ ଭାଜପାର ରଣନୀତିକାରମାନେ ବୁଝିଯାଇଥିଲେ ଯେ, ଚାଷୀମାନଙ୍କୁ ଅସନ୍ତୁଷ୍ଟ କରି ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ ଏପରିକି ୨୦୨୪ ନିର୍ବାଚନ ଜିତି ହେବ ନାହଁି। ତେଣୁ ଅନ୍ୟ ଶବ୍ଦରେ କହିଲେ, ମୋଦିଙ୍କ ପାଖରେ କୃଷି ଆଇନ ତିନୋଟିକୁ ପ୍ରତ୍ୟାହାର କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା। କେନ୍ଦ୍ର ସରକାର ଚାହଁିଥିଲେ ଆହୁରି ପୂର୍ବରୁ ଏପରି କରିପାରିଥାନ୍ତେ ବା ଆଇନ ତିନୋଟିକୁ ଆଣିବା ପୂର୍ବରୁ ଚାଷୀ ଓ ଚାଷୀ ସଙ୍ଗଠନଗୁଡ଼ିକ ସହିତ ବିଚାରବିମର୍ଶ କରିପାରିଥାନ୍ତେ। ଏହା ଆହୁରି ଅଧିକ ଗଣତାନ୍ତ୍ରିକ ହୋଇଥାନ୍ତା ଓ ଆମ ଗଣତନ୍ତ୍ରର ପରିପକ୍ୱତାର ପରିଚୟ ଆହୁରି ପ୍ରସାରିତ ହୋଇଥାନ୍ତା।
କିଛି ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଏବେବି କହୁଛନ୍ତି ଯେ, କୃଷି ଆଇନ ତିନୋଟିକୁ ପ୍ରତ୍ୟାହାର କରିବାରୁ କୃଷି କ୍ଷେତ୍ରରେ ସଂସ୍କାରର ବାଟ ବନ୍ଦ ହୋଇଗଲା। କିନ୍ତୁ ଏହା ବୁଝି ରଖିବା ଦରକାର ଯେ, କୃଷି କ୍ଷେତ୍ରକୁ ବଡ଼ ବଡ଼ କର୍ପୋରେଟ୍‌ମାନଙ୍କ ପ୍ରବେଶ କରାଇବା ସଂସ୍କାର ନୁହେଁ। ଏହା ପ୍ରକାରାନ୍ତରେ କେବଳ ଚାଷୀଙ୍କର ହଁି କ୍ଷତି କରିବ ଓ କମ୍ପାନୀଗୁଡ଼ିକୁ ଲାଭ ପ୍ରଦାନ କରିବ। ଏହି କୃଷି ଆଇନ ତିନୋଟି କେବେ ବି ଏକ ସଂସ୍କାର ନ ଥିଲା। ବରଂ ଚାଷୀମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଥିଲା। ଯାହାକୁ ଚାଷୀମାନେ ବୁଝିପାରିଥିଲେ ଓ ତା’ ବିରୋଧରେ ସଂଗ୍ରାମ କରିଥିଲେ। ଏହି ଆଇନ ତିନୋଟି ଦ୍ୱାରା ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଥା’ନ୍ତା ଓ କମ୍ପାନୀମାନେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟରେ ପ୍ରବେଶ କରି ହଜାର ହଜାର କୋଟି ଟଙ୍କା ମୁନାଫା ଲୁଟିଥାନ୍ତେ। ଏମିତି ପୂର୍ବରୁ ଆମେରିକା ଓ ୟୁରୋପର ଅନ୍ୟାନ୍ୟ ଦେଶଗୁଡ଼ିକରେ ହୋଇସାରିଛି। ସେଠାରେ ଆଉ କୌଣସି ଛୋଟ ଚାଷୀ ନାହାନ୍ତି। କେବଳ ବହୁତ ବଡ଼ ଜମି ମାଲିକ ଅଛନ୍ତି, ନହେଲେ କମ୍ପାନୀ ହାତରେ ଚାଷ ଅଛି।
ବିବାଦୀୟ କୃଷି ଆଇନ ତିନୋଟିର ପ୍ରତ୍ୟାହାର ଏକ ବିଜୟ ହୋଇପାରେ, କିନ୍ତୁ ଏହା ହେଉଛି କେବଳ ଅଧା ଜିତା ହୋଇଥିବା ଏକ ଲଢ଼େଇ। ଚାଷୀମାନଙ୍କୁ ନିଜର ଭାଗ୍ୟ ବଦଳେଇବା ପାଇଁ ଆହୁରି ଆଗକୁ ଯିବାକୁ ହେବ। କେବଳ ଏହି ଆଇନ ତିନୋଟିର ପ୍ରତ୍ୟାହାର ନୁହେଁ, ଚାଷୀମାନଙ୍କୁ ସେମାନଙ୍କର ଉପତ୍ାଦନର ଉଚିତ୍‌ ମୂଲ୍ୟ ପାଇଁ ଆହୁରି ଲଢ଼େଇ କରିବାକୁ ହେବ। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ସାରା ଦେଶରେ କଡ଼ାକଡ଼ି ଲାଗୁ କରିବାକୁ ହେବ। ଏଥିପାଇଁ ସରକାରଙ୍କୁ ଦୃଢ଼ ଆଇନ ଆଣିବାକୁ ହେବ ଓ ଆଇନ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ପ୍ରସ୍ତୁତ କରିବାକୁ ହେବ। ଆମ ଦେଶର ଚାଷୀମାନେ ଉପତ୍ାଦନକୁ ବାହାର ବଜାରରେ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ହାରାହାରି ୪୦% କମ୍‌ ପାଉଛନ୍ତି। ମୁଖ୍ୟତଃ ଧାନ ଓ ଗହମ କ୍ଷେତ୍ରରେ ହଁି କିଛି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପାଉଛନ୍ତି। ଯଦିଓ ଅନ୍ୟ ୨୩ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ଘୋଷଣା କରୁଛନ୍ତି, କିନ୍ତୁ ଚାଷୀମାନେ ପ୍ରାୟତଃ ତାହା ପାଉନାହାନ୍ତି। ତେଣୁ ଏହି ସମସ୍ୟାର ସମାଧାନ ଲାଗି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନ ଆଣିବା ପାଇଁ ଲଢ଼େଇ ଲଢ଼ିବାକୁ ପଡ଼ିବ। ଏତଦ୍‌ବ୍ୟତୀତ ସମ୍ପ୍ରତି ଉପତ୍ାଦନର ଯାହା ବି ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଉଛି, ତାହା ଅତ୍ୟନ୍ତ କମ୍‌। ଏପରିକି ଉପତ୍ାଦନରେ ହେଉଥିବା ଖର୍ଚ୍ଚକୁ ବି ଭରଣା କରିବାକୁ ସର୍ବନିମ୍ନ ସହାୟକ ମୂଲ୍ୟ ସକ୍ଷମ ହୋଇପାରୁ ନାହଁି। ଚାଷରେ ହେଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ଯୁକ୍ତିଯୁକ୍ତ ନ୍ୟାୟପୂର୍ଣ୍ଣ ସ୍ତରକୁ ଆଣିବାକୁ ହେବ। ଆଜି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଓ ସେବାର ଦରଦାମ୍‌ ଆକାଶ ଛୁଇଁଛି। ଏପରି ପରିସ୍ଥିତିରେ ଚାଷୀଟିଏ ଏତେ କମ୍‌ ସର୍ବନିମ୍ନ ସହାୟକ ମୂଲ୍ୟରେ ନିଜ ପରିବାର ପ୍ରତିପୋଷଣ କରିବାକୁ ସକ୍ଷମ ହୋଇପାରୁନି। ତେଣୁ ପରବର୍ତ୍ତୀ ଲଢ଼େଇ ଏକ ନ୍ୟାୟପୂର୍ଣ୍ଣ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ହେବାର ଆବଶ୍ୟକତା ରହିଛି। ସର୍ବନିମ୍ନ ସହାୟକ ମୂଲ୍ୟକୁ ଚାଷୀମାନଙ୍କର ଏକ ଆଇନଗତ ଅଧିକାର ବୋଲି ମାନ୍ୟତା ଦେବାକୁ ହେବ।
୨୦୧୬ର ଅର୍ଥନୈତିକ ସର୍ଭେ ଅନୁସାରେ ଆମ ଦେଶର ୧୭ଟି ରାଜ୍ୟର ଚାଷୀମାନଙ୍କର ବାର୍ଷିକ ହାରାହାରି ରୋଜଗାର ମାତ୍ର ୨୦ ହଜାର ଟଙ୍କା। ଅନ୍ୟ ଅର୍ଥରେ କହିଲେ, ଦେଶର ଅଧାରୁ ଅଧିକ ଚାଷୀ ମାସିକ ମାତ୍ର ୧୭୦୦ ଟଙ୍କାରେ ଜୀବନଧାରଣ କରୁଛନ୍ତି। ଏଥିରୁ ଅନୁମାନ କରାଯାଇପାରେ, ମାତ୍ର ୧୭୦୦ ଟଙ୍କାରେ ଚାଷୀଟିଏ ନିଜ ପରିବାରର ଯାବତୀୟ ଆବଶ୍ୟକତାକୁ କିପରି ପୂରଣ କରୁଥିବ। ନିକଟ ଅତୀତରେ ହୋଇଥିବା ‘ସିଚୁଏଶନ୍‌ ଆସେସ୍‌ମେଣ୍ଟ ସର୍ଭେ-୨୦୧୯’ର ତଥ୍ୟ ଆମ ଦେଶର ଚାଷବାସର ଆହୁରି ଭୟଙ୍କର ପରିସ୍ଥିତିକୁ ବଖାଣୁଛି। ଏହି ସର୍ଭେ ଅନୁସାରେ ଜଣେ ଚାଷୀ ଅଣଚାଷ ରୋଜଗାରକୁ ଛାଡ଼ିଦେଲେ, କେବଳ ଚାଷରୁ ଦୈନିକ ମାତ୍ର ୨୭ ଟଙ୍କା ରୋଜଗାର କରୁଛି। ଆମେ ସମସ୍ତେ ଜାଣିଛେ ଦୈନିକ ମଜୁରିର ଦାମ୍‌ ମଧ୍ୟ ଏହାଠାରୁ ଯଥେଷ୍ଟ ଅଧିକ। ଭୁଲିଯିବା ଉଚିତ ନୁହେଁ ଯେ, ଠିକ୍‌ ଏହି ସମୟରେ ଆମ ଚାଷୀମାନେ ରେକର୍ଡ଼ ପରିମାଣର ୩୦୮ ମିଲିଅନ୍‌ ଟନ୍‌ ଖାଦ୍ୟଶସ୍ୟ ଅମଳ କରିଛନ୍ତି। ୩୨୫ ମିଲିଅନ୍‌ ଟନ୍‌ ଫଳ ଓ ପନିପରିବା ଉପତ୍ାଦନ କରିଛନ୍ତି। ‘ଖାଦ୍ୟ ଓ କୃଷି ସଙ୍ଗଠନ’ ଦ୍ୱାରା ମାର୍ଚ୍ଚ ୨୦୨୧ରେ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଭାରତର ଖାଦ୍ୟ ଦ୍ରବ୍ୟ ଉପତ୍ାଦନର ସମୁଦାୟ ମୂଲ୍ୟ ୪୦ କୋଟି ୭ ଲକ୍ଷ ୨୨ ହଜାର ୨୫ ମିଲିଅନ ଡଲାର। ଏଠାରେ ପୁନଶ୍ଚ ପ୍ରଶ୍ନ ଉଠୁଛି, ଅର୍ଥନୈତିକ ଭାବେ ଦେଶକୁ ଏପରି ସମୃଦ୍ଧ କରୁଥିବା ଚାଷୀକୁଳ ଦାରିଦ୍ର୍ୟ ମଧ୍ୟରେ ଜୀବନଯାପନ କରିବେ କାହଁିକି? ଚାଷୀମାନଙ୍କ ପ୍ରତି କ’ଣ ସରକାରଙ୍କର କିଛି ଉତ୍ତରଦାୟିତ୍ୱ ନାହଁି?
ଏତଦ୍‌ବ୍ୟତୀତ ଚାଷୀମାନଙ୍କର ସାମ୍ପ୍ରତିକ ଦୁର୍ଦ୍ଦଶାରୁ ମୁକ୍ତି ଦେବା ପାଇଁ ତଥା ସେମାନଙ୍କୁ ଦୀର୍ଘ ବର୍ଷ ହେବ ସେମାନଙ୍କର ପରିଶ୍ରମ ଓ ଉପତ୍ାଦନର ଉଚିତ୍‌ ମୂଲ୍ୟ ନ ଦେଇ ଯେଉଁ ଐତିହାସିକ ଅନ୍ୟାୟ କରାଯାଇଛି, ତାହାକୁ ଭରଣା କରିବା ପାଇଁ ଆଗାମୀ କିଛି ବର୍ଷ ଲାଗି ଚାଷୀମାନଙ୍କ ପାଇଁ ଏକ ମାସିକ ରୋଜଗାର ଗ୍ୟାରେଣ୍ଟିର ବ୍ୟବସ୍ଥା କରିବାକୁ ହେବ। ସରକାର ନ ଭାବନ୍ତୁ ଯେ, ଚାଷୀମାନଙ୍କ ପାଇଁ ରୋଜଗାର ଗ୍ୟାରେଣ୍ଟି ବ୍ୟବସ୍ଥା କରିବା ଏକ ବାଜେ ଖର୍ଚ୍ଚ। ସରକାର ଯଦି ଅର୍ଥନୀତିକୁ ସୁଧାରିବା ପାଇଁ କମ୍ପାନୀଗୁଡ଼ିକୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ଼ କରୁଛନ୍ତି, ଧନିକମାନଙ୍କୁ ଟିକସ ଛାଡ଼ କରୁଛନ୍ତି, ବ୍ୟାଙ୍କମାନଙ୍କୁ ଦେବାଳିଆରୁ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଛନ୍ତି, ତେବେ ଚାଷୀମାନଙ୍କ ପାଇଁ ଏକ ରୋଜଗାର ଗ୍ୟାରେଣ୍ଟିର ବ୍ୟବସ୍ଥା କରାଯିବ ନାହଁି କାହଁିକି? ଏ ସମସ୍ତଙ୍କ ଅପେକ୍ଷା ଆମ ଅର୍ଥନୀତିକୁ ଚାଷୀଙ୍କର ଅବଦାନ କ’ଣ ଏତେ କମ୍‌! ଏକ ସ୍ବାବଲମ୍ବନଶୀଳ ଚାଷୀକୁଳ ହଁି ସ୍ବାବଲମ୍ବନଶୀଳ ଦେଶ ନିର୍ମାଣ କରିପାରିବେ। ଚାଷୀଙ୍କର ଲଢ଼େଇ କୃଷି କ୍ଷେତ୍ରରୁ ଆରମ୍ଭ ହୋଇ ବ୍ୟାପକ ରାଜନୀତିକୁ ପ୍ରଭାବିତ କରିବା ପରି ଦୃଢ଼ ହେବାର ଆବଶ୍ୟକତା ରଖୁଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri