ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧ ନମ୍ବର ୱାର୍ଡ ଗଉଡ଼ ସାହି ନିକଟ ନଦୀକୁଣ୍ଡା ନାଳକୁ ଶୌଚ ପାଇଁ ଯାଇଥିବା ଜଣେ ନାବାଳକଙ୍କୁ ବାର୍ହା ଆକ୍ରମଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୁଦର୍ଶନ ବେହେରାଙ୍କ ପୁଅ ସୁମନ ବେହେରା (୧୩) ନଦୀକୁଣ୍ଡା ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ପୂର୍ବରୁ ଛକି ରହିଥିବା ଏକ ବାର୍ହା ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ବାର୍ହା ଆକ୍ରମଣରୁ ବର୍ତ୍ତିବା ପାଇଁ ସୁମନ ନାଳ ଭିତରକୁ ଡେଇଁ ପଡ଼ିଥିଲେ। ତେବେ ବାର୍ହାଟି ମଧ୍ୟ ପାଣି ଭିତରକୁ ଡେଇଁ ପୁଣିଥରେ ତାଙ୍କୁ ଆକ୍ରମଣ କରିଥିଲା।
ଜୀବନ ବଞ୍ଚାଇବା ପାଇଁ ସୁମନ ସାହସର ସହ ଲଢ଼େଇ କରିବା ସହ ବାର୍ହାଟିର ବେକକୁ ଜାବୁଡ଼ି ଧରି କାବୁ କରି ରଖିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ନାବାଳକ ଓ ବାର୍ହା ମଧ୍ୟରେ ଏହି ସଂଘର୍ଷ ଚାଲିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ଗାଁ ଲୋକେ ଓ ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ବାର୍ହା କବଳରୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସା ପରେ ନାବାଳକ ସୁମନ ବେହେରା ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗୋପାଳପୁର ଅଞ୍ଚଳରେ ବାର୍ହା ଆତଙ୍କ ବଢ଼ିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।