ଦାରିଙ୍ଗବାଡି, ୭।୧୦(ଅରୁଣ ସାହୁ): ବଜ୍ରପାତରେ ଜଣେ ପଞ୍ଚମଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ସେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଜଙ୍ଗଲଘର ଗ୍ରାମ ବାଲୁବାଙ୍ଗା ପଡାର ରାଜେଶ ପ୍ରଧାନଙ୍କ ପୁଅ ଅମ୍ଲାନ ପ୍ରଧାନ। ଅମ୍ଲାନ ଅପରାହ୍ନରେ ତାଙ୍କ ଘର ବାହାରେ ଠିଆ ହୋଇଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ ଏବଂ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ତୁରନ୍ତ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ନେବାକୁ ପରାମର୍ଶ ଦେଇଥିଲେ। ତେବେ ପରିବାରଲୋକେ ଅମ୍ଲାନଙ୍କୁ ବ୍ରହ୍ମପୁର ନେବାକୁ ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ପଚାରିଥିଲେ। ତେବେ ଆମ୍ବୁଲାନ୍ସ ନ ଥିବାରୁ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ସରପଞ୍ଚ ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କୁ ତାଙ୍କ ଆରୋଗ୍ୟ ସେବା ଗାଡି ଯୋଗାଇଦେବାକୁ ଅନୁରୋଧ କରିଥିଲେ। କୈଳାଶ ଦଣ୍ଡପାଟ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଙ୍କ ଅବସ୍ଥା ଦେଖି ତାଙ୍କ ଅନୁଷ୍ଠାନର ଆରୋଗ୍ୟ ଗାଡି ଯୋଗାଇଦେଇଥିଲେ। ଛାତ୍ରଙ୍କୁ ବ୍ରହ୍ମପୁର ଏମ୍କେସିଜିକୁ ଅଧିକା ଚିକିତ୍ସା ପାଇଁ ନିଆଯାଉଥିବା ବାଡାବାଙ୍ଗା ସରପଞ୍ଚ ପ୍ରଧାନ କହିଛନ୍ତି। ଛାତ୍ରଙ୍କ ବଜ୍ରପାତ ପରେ ହାର୍ଟ ସମସ୍ୟା ଦେଖାଯାଇଥିବା ଡାକ୍ତର ଆଶଙ୍କା କରି ତୁରନ୍ତ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଥିବା ଜଣାପଡିଛି ।
Dharitri – Odisha’s No.1 Trusted Odia Daily


