ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ ଫ୍ରାନ୍ସ, ମରକ୍କୋ, ସ୍ପେନ୍, ବେଲଜିୟମ, ନରଓ୍ବେ, ଇଂଲଣ୍ଡ, ଆର୍ଜେଣ୍ଟିନା ଓ ସୁଇଜରଲାଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟ ପୂର୍ବରୁ ଫେଭରାଉଟ ତାଲିକାରେ ଥିବା ବ୍ରାଜିଲ, ଜର୍ମାନୀ, ପର୍ତ୍ତୁଗାଲ, ନେଦରଲାଣ୍ଡ୍ସ ଆଦି ଦଳ ବିଦାୟ ନେଇସାରିଛନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ମାଧ୍ୟମରେ ଆର୍ଜେଣ୍ଟିନାର ଲିଓନେଲ ମେସି, ଫ୍ରାନ୍ସର କିଲିଆନ ଏମ୍ବାପେ, ଇଂଲଣ୍ଡର ହ୍ୟାରି କେନ୍ ଓ ନରଓ୍ବେର ଏର୍ଲିଂ ହାଲାଣ୍ଡ ଏବେ ଚର୍ଚ୍ଚାରେ ରହିଛନ୍ତି। ଗୁରୁବାର ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲରେ ଜିଆଣ୍ଟ କିଲର ମରକ୍କୋକୁ ଭେଟିବ ଟାଇଟଲ ଫେଭରାଇଟ ଫ୍ରାନ୍ସ।
ଫ୍ରାନ୍ସ-ମରକ୍କୋ (ଫକ୍ସବୋରୋ)
ଗ୍ରୁପ୍ ପର୍ଯ୍ୟାୟରେ ସେନେଗାଲକୁ ୩-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଫ୍ରାନ୍ସ ପରବର୍ତ୍ତୀ ୨ ମ୍ୟାଚରେ ଯଥାକ୍ରମେ ଇରାକକୁ ୩-୦ ଓ ନରଓ୍ବେକୁ ୪-୧ ଗୋଲରେ ପରାସ୍ତ କରିଥିଲା। ରାଉଣ୍ଡ ଅଫ୍-୩୨ରେ ସୁଇଡେନ୍କୁ ୩-୦ ଓ ପ୍ରି-କ୍ୱାର୍ଟର ଫାଇନାଲରେ ପାରାଗୁଏକୁ ୧-୦ ଗୋଲରେ ହରାଇ ଆଗକୁ ବଢ଼ିଛି ଏହି ଦଳ। ଅନ୍ୟପକ୍ଷରେ ମରକ୍କୋ ପ୍ରାରମ୍ଭିକ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍କୁ ବ୍ରାଜିଲ ସହ ୧-୧ରେ ଡ୍ର ରଖି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ପରବର୍ତ୍ତୀ ମ୍ୟାଚ୍ରେ ସ୍କଟ୍ଲାଣ୍ଡକୁ ୧-୦ ଓ ହାଇତିକୁ ୪-୨ ଗୋଲରେ ହରାଇ ନକ୍ଆଉଟରେ ପ୍ରବେଶ କରିଥିଲା। ରାଉଣ୍ଡ ଅଫ୍-୩୨ରେ ଏହି ଦଳ ନେଦରଲାଣ୍ଡ୍ସକୁ ଶୁଟ୍ଆଉଟ ୩-୨ ଗୋଲରେ ହରାଇ ବିଦାୟ ପଥ ଦେଖାଇଥିବାବେଳେ ପ୍ରି-କ୍ୱାର୍ଟର ଫାଇନାଲରେ ସହଆୟୋଜକ କାନାଡ଼ାକୁ ୩-୦ ଗୋଲରେ ପରାସ୍ତକରି ନିଜକୁ ଏକ ପ୍ରମୁଖ ଦାବିଦାର ଭାବେ ଉଭା କରିଛି। ତେବେ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ପ୍ରାଚୀରକୁ ଭେଦ କରିପାରିଲେ ଯାଇ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ। କ୍ୟାରିୟରର ୧୯ତମ ବିଶ୍ୱକପ୍ରେ ଗୋଲସ୍କୋର କରିସାରିଥିବା କିଲିଆନ ଏମ୍ବାପେଙ୍କ ଉପସ୍ଥିତିରେ ଫ୍ରାନ୍ସକୁ ଫେଭ୍ରାଇଟ ବିବେଚନା କରାଯାଉଛି।