Categories: ଖେଳ

ଫିଫା ମହିଳା ବିଶ୍ୱକପ: ଫିଲିପାଇନ୍ସ, କଲମ୍ବିଆ ବିଜୟୀ

ଓ୍ବେଲିଂଟନ୍‌, ୨୬ା୭(ପି.ଟି.): ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ମଙ୍ଗଳବାର ଫିଲିପାଇନ୍ସ, କଲମ୍ବିଆ ବିଜୟ ହାସଲ କରିଥିବା ବେଳେ ସୁଇଜରଲାଣ୍ଡ ବିପକ୍ଷରେ ପଏଣ୍ଟ ବାଣ୍ଟିଛି ନରଓ୍ବେ। ଫିଲିପାଇନ୍ସ ବିଶ୍ୱକପ୍‌ ଇତିହାସରେ ଏହାର ପ୍ରଥମ ବିଜୟ ହାସଲ କରିଥିବା ବେଳେ ସରିନା ବୋଲ୍ଡେନ୍‌ ପ୍ରଥମ ଗୋଲ ସ୍କୋର କରିଥିଲେ।
ଫିଲିପାଇନ୍ସର ଐତିହାସିକ ବିଜୟ: ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍‌ ଖେଳୁଥିବା ଫିଲିପାଇନ୍ସ ଆୟୋଜକ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଫିଲିପାଇନ୍ସ ବିଶ୍ୱକପ ଇତିହାସରେ ପ୍ରଥମ ଗୋଲ ସ୍କୋର କରିବାର ସୌଭାଗ୍ୟ ହାସଲ କରିଛନ୍ତି ସରିନା ବୋଲ୍ଡେନ୍‌। ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ନରଓ୍ବେକୁ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡ ଦୃଢ ଭାବରେ ଖେଳ ଆରମ୍ଭ କରିଥିଲା। ପ୍ରଥମ ୨୦ ମିନିଟର ଖେଳକୁ ଘରୋଇ ଦଳ ନିୟନ୍ତ୍ରଣରେ ରଖିଥିଲା। ନ୍ୟୁଜିଲାଣ୍ଡ ଦଳକୁ ସମର୍ଥନ କରି ୩୩ ହଜାର ଦର୍ଶକ ଷ୍ଟାଡିୟମରେ ରହିଥିବା ବେଳେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ ସରିନା। ୨୪ ତମ ମିନିଟରେ ସେ ସ୍କୋର କରିଥିବା ବେଳେ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପ୍ରଥମ ୨୦ ମିନିଟରେ ନ୍ୟୁଜିଲାଣ୍ଡ ୮୦ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଏହି ସମୟ ମଧ୍ୟରେ ୫ ଶଟ୍‌ ଟାର୍ଗେଟ୍‌ରେ ରହିଥିବା ବେଳେ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨୦ତମ ମିନିଟରେ ଫିଲିପାଇନ୍ସକୁ ପ୍ରଥମ ଫ୍ରି କିକ୍‌ ମିଳିବା ପରେ ଖେଳର ଗତି ବଦଳି ଯାଇଥିଲା। ଭିକ୍‌ ଏସନ୍‌ ଏହାକୁ ରୋକିବାରେ ସଫଳ ହୋଇଥିଲେ। ଏହାର ୪ ମିନିଟ ପରେ ଆଉ ଏକ ଫ୍ରି କିକ୍‌ ମିଳିଥିଲା। ସାରା ଏଗେସ୍‌ଭିକ୍‌ଙ୍କ ଶଟ୍‌କୁ ଭିକ୍‌ ରୋକିଥିଲେ ମଧ୍ୟ ସରିନା ହେଡର ଜରିଆରେ ଏହାକୁ ଗୋଲରେ ପରିଣତ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଲ୍‌ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ ବିଫଳ ରହିଥିଲା।
କଲମ୍ବିଆ ବନାମ ଦକ୍ଷିଣ କୋରିଆ: ସିଡ୍‌ନୀରେ ଅନୁଷ୍ଠିତ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୨-୦ରେ ପରାସ୍ତ କରିଛି କଳମ୍ବିଆ। କାଟାଲିନା ଉସ୍ମେ(୩୦ ମିନିଟ) ଓ କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ଲିଣ୍ଡା କାଇସେଡୋ ୩୯ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୧୫ ବର୍ଷ ବୟସରେ ଜରାୟୁ କ୍ୟାନ୍ସରରୁ ଆରୋଗ୍ୟ ଲାଭ କରିଥିବା ୧୮ ବର୍ଷୀୟ କାଇସେଡୋଙ୍କର ଏହା ବିଶ୍ୱକପରେ ପ୍ରଥମ ଗୋଲ୍‌। ୩୦ ତମ ମିନିଟରେ କୋରିଆ ଡି ମଧ୍ୟରେ ଶିମ୍‌ ସିଓ ୟେଅନ୍‌ ଏକ ଫାଉଲ୍‌ ମାରିଥିଲେ। କଲମ୍ବିଆକୁ ପେନାଲ୍ଟି କର୍ନର ମିଳିଥିବା ବେଳେ ଉସ୍ମେ ଏହାକୁ ଗୋଲରେ ପରିଣତ କରିଥିଲେ। ୩୯ତମ ମିନିଟରେ କାଇସେଡୋ କୋରିଆ ମିଡ୍‌ଫିଲ୍ଡରଙ୍କୁ ପରାସ୍ତ କରି ଦଳ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧରେ କୋରିଆ ପକ୍ଷରୁ ଲି ଜିଉମ୍‌ ମିନ୍‌ ସ୍କୋର କରିବାର ନିକଟତର ହୋଇଥିଲେ ହେଁ ଗୋଲକିପର କାଟାଲିନା ପେରେଜ୍‌ ଚମତ୍କାର ସେଭ୍‌ କରିଥିଲେ।
ପଏଣ୍ଟ ବାଣ୍ଟିଲା ନରଓ୍ବେ
ହାମିଲଟନ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ହାମିଲଟନ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ପଏଣ୍ଟ ବାଣ୍ଟିଛି ନରଓ୍ବେ। ଷ୍ଟାର ଫରଓ୍ବାର୍ଡ ଖେଳାଳି ତଥା ବାଲନ୍‌ ଡି ଓର୍‌ ବିଜୟିନୀ ଆଡା ହେଗରବର୍ଗ ଆହତ କାରଣରୁ ଖେଳି ନ ଥିବା ବେଳେ ମ୍ୟାଚ୍‌ଟି ୦-୦ରେ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିବା ନରଓ୍ବେ ପାଇଁ ଫିଲିପାଇନ୍ସ ବିପକ୍ଷ ଅନ୍ତିମ ମ୍ୟାଚ୍‌ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି।

Share