Categories: ଖେଳ

କାହିକି ବ୍ଲୁ କାର୍ଡ ପ୍ରଚଳନ କରିବନି ଫିଫା, ଜାଣନ୍ତୁ

ଲୋଚ୍‌ ଲୋମଣ୍ଡ (ସ୍କଟଲାଣ୍ଡ),୩।୩: ଅନ୍ତର୍ଜାତୀୟ ଫୁଟ୍‌ବଲ ଆସୋସିଏଶନ ମହାସଂଘ(ଫିଫା) ପ୍ରସ୍ତାବିତ ‘ବ୍ଲୁ କାର୍ଡ’ ଯୋଜନାକୁ କାର୍ଯ୍ୟକାରୀ କରିବ ନାହିଁ। ଖେଳର ନିୟମ ପ୍ରସ୍ତୁତକାରୀ ପ୍ୟାନେଲ ଆଇଏଫ୍‌ଏବି (ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ ବୋର୍ଡ)ର ବାର୍ଷିକ ବୈଠକ ପୂର୍ବରୁ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋ ଶନିବାର ଏକଥା ସ୍ପଷ୍ଟ କରିଛନ୍ତି। ମାସକ ପୂର୍ବେ ଶୁଣିବାକୁ ମିଳିଥିଲା ଏଣିକି ରେଫରିଙ୍କ ପକେଟରେ ରେଡ୍‌ କାର୍ଡ, ୟେଲୋ କାର୍ଡ ସହ ବ୍ଲୁ କାର୍ଡ ସ୍ଥାନ ପାଇବ।

ଏହି କାର୍ଡ ଦେଖାଇ ରେଫରି ଜଣେ ନିୟମ ଉଲ୍ଲଂଘନକାରୀ ଖେଳାଳିଙ୍କୁ କିଛି ମିନିଟ ପାଇଁ ପଡ଼ିଆରୁ ବାହାର କରିପାରିବେ। ଇନ୍‌ଫାଣ୍ଟିନୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ କ୍ଲିପ୍‌ ପୋଷ୍ଟ କରିଛନ୍ତି। ଏଲିଟ୍‌ ଲେଭଲରେ କୌଣସି ବ୍ଲୁ କାର୍ଡ ବ୍ୟବହାର କରାଯିବ ନାହିଁ।

ଫିଫା ଏହାକୁ ସମ୍ପୂର୍ଣ୍ଣ ବିରୋଧ କରେ ବୋଲି ସେ ଏଥିରେ ରିପୋର୍ଟରମାନଙ୍କୁ କହିଛନ୍ତି। ଖେଳକୁ ଅଧିକ ଶୃଙ୍ଖଳିତ ରୂପେ ପରିଚାଳନା କରିବା ଉଦ୍ଦେଶ୍ୟରେ ‘ବ୍ଲୁ କାର୍ଡ’ ପ୍ରଥମେ ୨୦୧୯-୨୦ ସିଜନରେ ତୃଣମୂଳସ୍ତରରେ ବ୍ୟବହାର କରାଯାଇଥିଲା।

ମାତ୍ର ଇଂଲିଶ ପ୍ରିମିୟର ଲିଗ୍‌ରେ ଲୋକେ ଏହି ବ୍ୟବସ୍ଥାକୁ ନାପସନ୍ଦ କରିଥିଲେ। କୌଣସି ବିଶୃଙ୍ଖଳା କାର୍ଯ୍ୟ ପାଇଁ ଯଦି ଜଣେ ଖେଳାଳିଙ୍କୁ ୧୦ ମିନିଟ ପାଇଁ ପଡ଼ିଆରୁ ବାହାର କରି ଦିଆଯାଏ ତେବେ ଦଳଗୁଡ଼ିକ ରକ୍ଷଣାତ୍ମକ ଏବଂ ନକାରାତ୍ମକ କୌଶଳ ଅବଲମ୍ବନ କରିବେ।

ଆଇଏଫ୍‌ଏବିରେ କୌଣସି ପ୍ରସ୍ତାବ ଗୃହୀତ ହେବାକୁ ହେଲେ ଏହା ସପକ୍ଷରେ ୬ଟି ଭୋଟର ଆବଶ୍ୟକତା ରହିଛି। କେବଳ ୪ଟି ମହାସଂଘ ଯଥା ଇଂଲଣ୍ଡ, ନର୍ଦ୍ଦର୍ନ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ଓ୍ବେଲ୍ସର ସମର୍ଥନ ମିଳିଛି। ବ୍ଲୁ କାର୍ଡ ରଗ୍‌ବୀ ଖେଳରେ ବିଭିନ୍ନ ପ୍ରକାର ଫାଉଲ ପାଇଁ ବ୍ୟବହାର କରାଯାଇ ଆସୁଛି। ଆଇସ୍‌ ହକିରେ ମଧ୍ୟ ଏହାର ବ୍ୟବହାର କରାଯାଉଛି। ଏଥିରେ ଜଣେ ଖେଳାଳିଙ୍କୁ ବ୍ଲୁ କାର୍ଡ ଦେଖାଇ ରେଫରି ଦୁଇ ମିନିଟ ପାଇଁ ପେନାଲ୍ଟି ବକ୍ସକୁ ପଠାଇ ଦେଇ ପାରନ୍ତି। ଏକ୍ଷେତ୍ରରେ ଅନ୍ୟ ଦଳକୁ ପାଓ୍ବାର ପ୍ଲେ ଡାକିବା ଫାଇଦା ମିଳିବ ଏବଂ ଅଧିକ ଗୋଲ୍‌ ସ୍କୋରିଂ ସୁଯୋଗ ସୃଷ୍ଟି ହେବ।

Share