Categories: ଖେଳ

ଭାରତୀୟ ଫୁଟବଲ ମହାସଂଘକୁ ନିଲମ୍ବିତ କଲା ଫିଫା

ନୂଆଦିଲ୍ଲୀ,୧୬ ।୮: ବିଶ୍ୱ ଫୁଟବଲ ସଂଚାଳନ ସଂସ୍ଥା ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ)କୁ ତତ୍କାଳ ପ୍ରଭାବ ଅନୁଯାୟୀ ନିଲମ୍ବିତ କରିଛି । ଫିଫା ନିୟମର ଘୋର ଉଲ୍ଲଂଘନ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୧୬ରେ କୋଲକାତାରେ ଡୁରଂଡ କପ ଆରମ୍ଭ ହେବାକୁ ଯାଉଛି । ବେଙ୍ଗାଲୁରୁ ଏଫସି ଦଳ ଦ୍ୱିତୀୟ ଦିନ ଜାମସେଦପୁର ଏଫସିକୁ ଭେଟିବ । ଟୁର୍ନାମେଣ୍ଟରେ ୧୧ ଇଣ୍ଡିଆନ ସୁପର ଲିଗ(ଆଇଏସଏଲ) କ୍ଲବ ଭାଗ ନେଉଛନ୍ତି ।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରୁ ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍ ଆସୋସିଏଶନ ଫୁଟବଲ(ଫିଫା) ତୃତୀୟ ପକ୍ଷର ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)କୁ ନିଲମ୍ବିତ କରିବାର ଚେତାବନୀ ଦେଇଥିଲା । ଏହାସହ ଫିଫା ଅକ୍ଟୋବରରେ ହେବାକୁ ଥିବା ମହିଳା ଅଣ୍ଡର ୧୭ ବିଶ୍ୱକପରୁ ବି ଅଧିକାର ଛଡାଇ ନେବାକୁ କହିଥିଲା । ଏଆଇଏଫଏଫର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କିଛିଦିନ ପରେ ଏହି ଚେତାବନୀ ଦିଆଯାଇଥିଲା । ଏପଟେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ପ୍ରଶାସକଙ୍କ ସମିତି(ସିଓଏ) ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ୨୮ ଅଗଷ୍ଟରେ ନିର୍ବାଚନ ହେବ ।

Share