ପାଟଣା,୨୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ଖବରଦାତାଙ୍କ ଉପରେ ଆକ୍ରମଣ ହୋଇଛି। ମଦ ବିକ୍ରି କରୁଥିବା ଥିବା ଜଣେ ମହିଳା ୱାର୍ଡ ମେମ୍ବର ଓ ତାଙ୍କ ମା’ ମିଶି ପାଟଣା ବଜାର ଉପରେ ଶୁକ୍ରବାର ଅପରାହ୍ନରେ ମାଡ ମାରିଥିବା ନେଇ ଖବରଦାତା ଦଶରଥ ବାରିକ ପାଟଣା ଥାନାରେ ଅଭିଯୋଗ କରିଛନ୍ତି ।
ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମର ଖବରଦାତା ଦଶରଥ ବାରିକ ଶୁକ୍ରବାର ଅପରାହ୍ନରେ ସାଧୁପଡ଼ା ଛକକୁ ବସ୍ରେ ଆସୁଥିବା ମାଆଙ୍କୁ ନେବାକୁ ଅପେକ୍ଷା କରି ଏରେଣ୍ଡେଇ ଗ୍ରାମର ଲଳିତ ଗିରିଙ୍କସହ କଥା ହେଉଥିବା ସମୟରେ ପାଟଣା ପଟୁ ନିଜ ମାଆଙ୍କ ସହ ସ୍କୁଟିରେ ଆସୁଥିବା ଏରେଣ୍ଡେଇ ଗ୍ରାମର ୱାର୍ଡ ମେମ୍ବର ବିଦ୍ୟୁତ୍ପ୍ରଭା ବେଜ ହଠାତ୍ଗାଡିରୁ ଓହ୍ଲାଇ ଦଶରଥଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ନିଜ ମା’ଙ୍କ ସହ ମିଶି ଆକ୍ରମଣ କରିଥିଲେ। ମଦ ବିକିବା ଖବର ପ୍ରସାରଣ କରିଥିଲୁ । ଉପରେ ମୋର ହାତ ଅଛି ଦେଖି ନେବି କହି ମହିଳା ଜଣକ ମାଡ଼ ମାରିଥିଲେ । ମା’ ଝିଅ ମାଡ଼ ମାରିବା ଦେଖି ସାଧୁପଡ଼ା ଛକର ଥିବା କିଛି ଲୋକ ହସ୍ତକ୍ଷେପ କରିବା ଓ ଦଶରଥ ପୋଲିସଙ୍କୁ ଡାକିବାରୁ ମହିଳା ୱାର୍ଡ ମେମ୍ବର ଜଣଙ୍କ ମା’ଙ୍କ ସହ ସ୍କୁଟିରେ ପଳାଇଥିଲେ। ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଦ୍ୟୁତ୍ପ୍ରଭା ତେଜରାତି ଦୋକାନରେ ମଦ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ସହ ଦଶରଥ ମଧ୍ୟ ଦାଇତ୍ୱ ସମ୍ପନ୍ନ ଖବର ଦାତା ଭାବରେ ଖବର ପ୍ରସାରଣ କରିଥିଲେ । ମାତ୍ର ଖବର ପ୍ରସାରଣ ପରେ ପାଟଣା ଅବକାରୀ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚୋରା ମଦ କାରବାର କରୁଥିବା ମହିଳା ୱାର୍ଡ ମେମ୍ବରଙ୍କ ସାହସ ବଢ଼ି ଯାଇଥିଲା । ଫଳରେ ସେ ଖବର ଦାତାଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ଏନେଇ ଦଶରଥ ଅଭିଯୋଗ କରିବା ପରେ ପାଟଣା ଥାନାରେ ୮୩/୨୫ରେ ମାମଲା ରୁଜୁ କରି ଥାନା ଏଏସଆଇ ସୋରଜ କୁମାର ସେଠୀ ଘଟଣାର ତଦନ୍ତ କରୁଛନ୍ତି। ଖବର ଦାତାଙ୍କ ପ୍ରତି ଏପରି ଆକ୍ରମଣକୁ ଇଣ୍ଡିଆନ ଜର୍ନାଲିଷ୍ଟ ୟୁନିଅନ ପକ୍ଷରୁ ସାମ୍ବାଦିକ ଦିଲୀପ କୁମାର ସାହୁ, ସିଦ୍ଧେଶ୍ୱର ସାହୁ, ଶଶାଙ୍କ ନାଏକଙ୍କ ସହ ପାଟଣା ଖବରଦାତା ମହେଶ୍ୱର ପୃଷ୍ଟି, ନୃସିଂହ ନାଥ ସିଂ, ସନ୍ତୋଷ କୁମାର ପତି, କିଶୋର ଚନ୍ଦ୍ର ମହାନ୍ତ୍ , ବିଜୟ ରତ୍ନ ପତି ପ୍ରମୁଖ ଏହାର ତୀବ୍ର ନିନ୍ଦା ସହ ପୋଲିସ ତୁରନ୍ତ ମଦ ବେପାରୀଙ୍କୁ ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏ ନେଇ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଖୁବ ଶୀଘ୍ର ଆକ୍ରମଣ କରିଥିବା ମା ଝିଅଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


