ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…

ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ମନୀଷା ମିଶ୍ର। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେ ବର୍ତ୍ତମାନ ନିଜ ଚାକିରିର ପ୍ରୋବେଶନ ପିରିୟଡ୍‌ ସମୟରେ ଥିଲେ। ଚାକିରି ଆରମ୍ଭରୁ ହିଁ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ସ୍ଥାନୀୟ ବ୍ୟକ୍ତି ନିଜ ଜମିର ରେଜିଷ୍ଟ୍ରେଶନ କାର୍ଯ୍ୟ ପାଇଁ ବାଲିଆପାଳ ସବ-ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ। ହେଲେ କାର୍ଯ୍ୟଟିକୁ କରାଇଦେବା ପାଇଁ ସବ୍‌-ରେଜିଷ୍ଟ୍ରାର୍‌ ମନୀଷା ମିଶ୍ର ୭,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନ ଦେଲେ କାମ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ।

ଦାବି ମୁତାବକ ଲାଞ୍ଚ ଟଙ୍କା ଦେବାକୁ ଅସମର୍ଥ ହୋଇ ଅଭିଯୋଗକାରୀ ଜଣକ ଏ ନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଟ୍ରାପ୍‌ ପ୍ରସ୍ତୁତ କରାଯାଇଥିଲା।

ପୂର୍ବ ଯୋଜନା ଅନୁଯାୟୀ, ଗୁରୁବାର ଅଭିଯୋଗକାରୀ ଜଣକ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ମନୀଷାଙ୍କୁ ରଙ୍ଗବୋଳା ୭,୦୦୦ ଟଙ୍କା ଦେଉଥିଲେ। ଟଙ୍କା ଗ୍ରହଣ କରିବା ମାତ୍ରେ ହିଁ ସେଠାରେ ସାଦା ପୋଷାକରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କୁ ରେଡ୍‌ ହ୍ୟାଣ୍ଡରେ କାବୁ କରିଥିଲେ। ଭିଜିଲାନ୍ସ ଟିମ୍‌ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ହେପାଜତକୁ ନେଇଛି।

ସୂଚନାଯୋଗ୍ୟ, ମନୀଷା ୨୦୨୪ରେ ଓଡ଼ିଶା ରାଜସ୍ବ ସେବା (ORS) ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ବାଲିଆପାଳ ସବ-ରେଜିଷ୍ଟ୍ରାର୍‌ ଭାବେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା ଏବଂ ସେ ପ୍ରୋବେଶନରେ ଥିଲେ। କ୍ୟାରିୟର ଆରମ୍ଭରୁ ହିଁ ଦୁର୍ନୀତିର ପଙ୍କରେ ପଡ଼ିବା ଏବଂ ଗିରଫ ହେବା ତାଙ୍କ ଭବିଷ୍ୟତ ଚାକିରି ଜୀବନ ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗିରଫଦାରୀ ପରେ ଭିଜିଲାନ୍ସ ପକ୍ଷରୁ ମନୀଷାଙ୍କ ବାଲିଆପାଳସ୍ଥିତ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ଅନ୍ୟାନ୍ୟ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ଏକାସାଙ୍ଗରେ ଚଢ଼ାଉ ଚାଲିଛି। ତାଙ୍କର ଆୟବର୍ହିଭୂତ ସମ୍ପତ୍ତି ରହିଛି କି ନାହିଁ, ସେ ନେଇ କାଗଜପତ୍ର ଯାଞ୍ଚ କରାଯାଉଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share