କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା SI, ଏମିତି ଚରମ ପଦକ୍ଷେପକୁ ନେଇ…

ପୁରୁଷୋତ୍ତମପୁର,୨୧ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ଚାଞ୍ଚଲ୍ୟ। ଥାନା କ୍ୱାର୍ଟର୍ସରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟରଙ୍କ ମୃତଦେହ ମିଳିବା ପରେ ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୃତ ମହିଳା ଅଧିକାରୀ ହେଉଛନ୍ତି ୨୦୨୪ ବ୍ୟାଚ୍‌ର ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁ। ସେ ଗତ ୨୦୨୪ ଜାନୁଆରୀ ୨୯ରେ ପୋଲିସ ଚାକିରିରେ ପାଦ ଥାପିଥିବାବେଳେ ସେପ୍ଟେମ୍ବର ୧୩ରେ ସେ ପୁରୁଷୋତ୍ତମପୁର ଥାନାରେ ନୂତନ ଭାବେ ଯୋଗଦେଇଥିଲେ। ଶନିବାର ସକାଳେ କ୍ୱାର୍ଟରକୁ ପାଣି ଦେବାକୁ ଆସିଥିବା ଜଣେ ବ୍ୟକ୍ତି ତାଙ୍କୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଦେଖି ଥାନାକୁ ଖବର ଦେଇଥିଲେ। ଖବର ପାଇ ଗଞ୍ଜାମ ଏସ୍‌ପି ହରିଶ ବି.ସି. ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଓ ଥାନା ଆଇଆଇସି କୁଳମଣି ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି।
କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଇଥିଲେ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଏବଂ ପରିବାର ସଦସ୍ୟ ପହଞ୍ଚିବା ପରେ ହିଁ କ୍ୱାର୍ଟର୍ସ ଖୋଲାଯାଇ ମୃତଦେହ ବାହାର କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ମୃତ ପ୍ରଭାସିନୀଙ୍କ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମହନ୍ତପୁର ଗ୍ରାମରେ। ସେ ପୁରୀରେ ବିବାହ କରିଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣାରେ ପରିବାରବର୍ଗଙ୍କୁ ଖବର ଦିଆଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share