ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ କଳଦିଆ ଆରୋଗ୍ୟ ଆୟୁଷ୍ମାନ ମନ୍ଦିରର ସିଏଚ୍‌ଓ ଥିବା ସ୍ମୃତିରେଖା ବେଉରା ଓ ତାଙ୍କ ସ୍ବାମୀ ଚନ୍ଦନ ଖଟେଇଙ୍କ ମଧ୍ୟରେ ଦୀର୍ଘଦିନ ହେବ ପାରିବାରିକ କଳହ ଲାଗି ରହୁଥିଲା। ଏନେଇ ସ୍ମୃତିରେଖା ଆଳି ଥାନାରେ ଚନ୍ଦନଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ l ସ୍ମୃତିରେଖାଙ୍କ ସ୍ବାମୀ ଚନ୍ଦନ କିଛି ମହିଳାଙ୍କ ସହିତ ସମ୍ପର୍କରେ ଥିବା ଜାଣିବା ପରେ ସ୍ମୃତିରେଖା ଛାଡ଼ପତ୍ର ଆବେଦନ କରିଥିଲେ। ଛାଡ଼ପତ୍ର ଆବେଦନ ନୋଟିସ୍‌ ଚନ୍ଦନଙ୍କ ଘରେ ପହଞ୍ଚିବା ପରେ ଚନ୍ଦନ ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଳି ରାଜବାଟି ରୋଡ଼ର ପ୍ରମିଳା ଅପାର୍ଟମେଣ୍ଟରେ ରହୁଥିବା ସ୍ତ୍ରୀ ସ୍ମୃତିରେଖା ଓ ତାଙ୍କ ପୁଅ ରିୟାଂଶଙ୍କୁ ଗତ ମଙ୍ଗଳବାର ସନ୍ଧ୍ୟାରେ କେଉଁଆଡ଼େ ଅପହରଣ କରି ନେଇଛନ୍ତି। ଏ ବିଷୟରେ ଜଣାପଡ଼ିବା ପରେ ସ୍ମୃତିରେଖାଙ୍କ ଭଉଣୀ ଆଳି ଥାନାରେ ଲିଖିତ ଅଭିଯୋଗ କରି ସ୍ମୃତିରେଖା ଓ ତାଙ୍କ ପୁଅ ରିୟାଂଶଙ୍କୁ ଫେରାଇ ଆଣିବା ନିମନ୍ତେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share