ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ ଅବସ୍ଥାନ କରୁଥିଲେ ଓ ରାତି ହେଲେ ଗାଁ ମୁହାଁ ହେଉଥିଲେ। ଶୁକ୍ରବାର ରାତିରେ ଏହି ହାତୀ ପଲ ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲକୁ ଫେରିଯାଇଛନ୍ତି। ମହାବୀର ପାହାଡ଼ରେ ଥିବା ୨୬ ଟିକିଆ ହାତୀପଲ ଶୁକ୍ରବାର ରାତିରେ ଏସଏଚ-୧୦ ଦେଇ ଯାଉଥିବା ବେଳେ ଏକ ମାଇ ହାତୀର ଗୋଟିଏ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଓ ହାତୀଟି ଗୋଡ଼ ଘୋଷାରି ଚାଲୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ସୂଚନା ମିଳିଛି।
ହାତୀପଲ କୁସୁମଡେଗିରୁ ନୂଆଗାଁ ଅଭିମୁଖେ ଯାଉଥିବା ସମୟରେ ମାଇ ହାତୀର ଡାହାଣ ଗୋଡ଼ରେ କ୍ଷତ ଥିବା ଦେଖାଯାଇଛି। କ୍ଷତାକ୍ତ ହାତୀଟି ଡାହାଣ ଗୋଡ଼ରେ ଭରା ଦେଇପାରୁ ନ ଥିବାରୁ ଗୋଡ଼କୁ ଘୋଷାରି ହାତୀପଲ ସହ ଚାଲୁଥିବା ଦୃଶ୍ୟ ଲୋକେ ଦେଖିଥିଲେ। ବଡ଼ଗାଁ ଫରେଷ୍ଟ ରେଞ୍ଜ ସହ ଯୋଗାଯୋଗ କରାଯିବାରୁ ହାତୀ ଆହତ ଥିବା କହିଛନ୍ତି। ତେବେ ଆହତ ହାତୀଟି ଚିକିତ୍ସା କେବେ ଆରମ୍ଭ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି। ହାତୀର ସ୍ବାସ୍ଥ୍ୟାବସ୍ଥା ଉପରେ ବନ ବିଭାଗ ନଜର ରଖିବା ସହ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି। ଆହତ ମାଈ ହାତୀର ଅବସ୍ଥା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ଏହି ହାତୀ ପଲରୁ ୨୫ ହାତୀ ଝାରଖଣ୍ଡ ମୁହାଁ ହୋଇଥିବା ଓ ଗୋଟିଏ ହାତୀ ପୁଣି ମହାବୀର ପର୍ବତକୁ ଫେରିଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

