ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ

ଦଶମନ୍ତପୁର, ୧୧।୩(ଡି.ଏନ୍‌.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଗୁରୁତରଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନ ଏସ୍‌.ଦଣ୍ଡାବାଡ଼ ଗ୍ରାମର ଘଟଣା। ଗାଁର ପାତ୍ର ସାଉଁତା, ମାନସ ସାଉଁତା(୯), ଲୋକେଶ ସାଉଁତା (୭), ସୁନ୍ଦର କୁଲେସିକା(୪୦), ବେନି ଖୋସଲା (୫୦) ଓ ଲିଙ୍ଗା ଜାନୀ (୩୫)ଅସୁସ୍ଥ ହୋଇଥିଲେ। ମାନସ ଗୁରୁତର ଅଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜଣେ ବାବା ଗାଁକୁ ଆସିଥିଲେ। ସେ ସମସ୍ତଙ୍କ ହାତ ଦେଖି ଭବିଷ୍ୟତ ସମ୍ପର୍କରେ କହିବେ ବୋଲି ଜଣାଇଥିଲେ। ଏହାପରେ ପାତ୍ର ସାଉନ୍ତା ବାବାଙ୍କ ପାଖକୁ ଆସିଥିଲେ। ବାବା ତାଙ୍କୁ ଲଡୁ ଖାଇବାକୁ ଦେଇଥିଲେ। ପାତ୍ର ତାଙ୍କ ପାଖରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଉକ୍ତ ଲଡୁ ଖାଇବାକୁ ଦେଇଥିଲେ। ବାବା ସେଠାରୁ ପଳାଇଥିଲେ। କିଛି ସମୟ ପରେ ଲଡୁ ଖାଇଥିବା ପାତ୍ର, ମାନସ, ଲୋକେଶ, ସୁନ୍ଦର, ବେନି ଓ ଲିଙ୍ଗାଙ୍କ ମୁଣ୍ଡ ମୁଲାଇବା ସହ ବାନ୍ତି ହୋଇଥିଲା। ମାନସ ଓ ଲୋକେଶଙ୍କୁ ପରିବାର ଲୋକେ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲୋକେଶ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାବେଳେ ମାନସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ତେଶୁ ତାଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ବାବାଙ୍କୁ ଖୋଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।