୧୩ରେ ସିବିଏସ୍‌ଇ ଅଫିସ ଆଗରେ ଧାରଣା ଦେବ ଅଭିଭାବକ ମହାସଂଘ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): କରୋନା ମହାମାରୀ ପାଇଁ ଗତ ୬ମାସ ହେବ ସ୍କୁଲ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ନ ହେବା ପାଇଁ ଅନ୍‌ଲାଇନ କ୍ଲାସ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଫି’ ଛାଡ଼ କିମ୍ବା ସ୍ବାଭାବିକ ପରିସ୍ଥିତି ଆସିଲେ ଆଦାୟ ପାଇଁ ଅପିଲ କଲେ। କିନ୍ତୁ ସ୍କୁଲଗୁଡ଼ିକର ମନମାନି ଯୋଗୁ ଏହି ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚତ୍ଛି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଆପୋସ ବୁଝାମଣା ହୋଇ ତାହା ଉପସ୍ଥାପିତ ହୋଇଛି ଓ ଖୁବ୍‌ଶୀଘ୍ର ଏନେଇ ରାୟ ଆସିବାକୁ ଯାଉଛି। ହେଲେ ବର୍ତ୍ତମାନ ସିବିଏସଇର ନବମ ଓ ଏକାଦଶ ଶ୍ରେଣୀ ପାଇଁ ନାମ ପଞ୍ଜୀକରଣ ତଥା ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ ଆଳରେ ଘରୋଇ ସ୍କୁଲଗୁଡ଼ିକ ଅଭିଭାବକଙ୍କୁ ଡାକି ଅଫ୍‌ଲାଇନ ଫର୍ମ ପୂରଣ କରିବା ସହିତ ସବୁ ଫି’ ଜୋର ଜବରଦସ୍ତ ଆଦାୟ କରୁଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ମହାସଂଘର କହିବାନୁଯାୟୀ, ସିବିଏସଇ କର୍ତ୍ତୃପକ୍ଷ ଏଭଳି ସମୟରେ ଏପରି କରିବା ଅତ୍ୟନ୍ତ ନିନ୍ଦନୀୟ। ମହାମାରୀରେ ରୋଜଗାର ନ ଥିବାବେଳେ ଜରିମାନା ସହ ଫର୍ମ ପୂରଣ ନିର୍ଦ୍ଦେଶ ପ୍ରତ୍ୟାହାର ଓ ଅବଧି ବୃଦ୍ଧି ତଥା ଅଭିଭାବକଙ୍କୁ କେବଳ ଅନ୍‌ଲାଇନରେ ଫର୍ମ ପୂରଣ ଅନୁମତି ପ୍ରଦାନ କରାଯାଉ ବୋଲି ସିବିଏସଇ ଅଧ୍ୟକ୍ଷଙ୍କୁ ଦାବି ଜଣାଇ ଦିଆଯାଇଛି। ଯଦି ଆମର ଦାବି ତୁରନ୍ତ କାର୍ଯ୍ୟକାରୀ ନ ହୁଏ ତେବେ ଆସନ୍ତା ୧୩ ତାରିଖରେ ସିବିଏସ୍‌ଇର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ମହାସଂଘ ଘୋଷଣା କରିଛି।