ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ବାକ୍ସରେ ଲୁଚାଇଲେ ପ୍ରେମିକା

ବାରିପଦା ଅଫିସ,୯ା୭:ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ ଧରାପଡ଼ିବା ଭୟରେ ନିଜ ପ୍ରେମିକଙ୍କୁ ବାକ୍ସରେ ଲୁଚାଇ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଭଲପାଇଥିଲେ। ଘରେ କେହି ନ ଥିବା ବେଳେ ସେ ତାଙ୍କ ପ୍ରେମିକଙ୍କୁ ଡାକିଥିଲେ। ଉଭୟେ ପ୍ରେମାଳାପରେ ମାତିଥିବା ବେଳେ ଯୁବତୀଙ୍କ ଭାଇ ଘରକୁ ପଳାଇ ଆସିଥିଲେ। ଯୁବତୀ ନିରୁପାୟ ହୋଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକଙ୍କୁ ପୂରାଇ ତାଲା ପକାଇ ଦେଇଥିଲେ। ତେବେ ପରିବାର ଲୋକେ ଏହା ଜାଣିପାରି ଯୁବତୀଙ୍କୁ ବାକ୍ସର ତାଲା ଖୋଲିବାକୁ କହିଥିଲେ। ଯୁବତୀ ଜଣକ ଭୟରେ ବାକ୍ସ ଖୋଲି ନ ଥିଲେ। ପ୍ରେମିକଙ୍କୁ ବଞ୍ଚାଇବା ପାଇଁ ମାଡ଼ ମଧ୍ୟ ଖାଇଥିଲେ। ପରେ ବାକ୍ସ ଖୋଲି ପ୍ରେମିକଙ୍କୁ ପଦାକୁ ବାହାର କରିଥିଲେ। ଯୁବତୀଙ୍କ ପରିବାର ଲୋକେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଯୁବତୀଙ୍କ ଘରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା।