‘ଅର୍ଣ୍ଣବ’ର କ୍ଷତ ଶୁଖିନି, ପୁଣି ଘାରିଲା ‘ଅକ୍ୱାନ’ ଭୟ: ଆତଙ୍କିତ ପୁରୁଷୋତ୍ତମପୁରବାସୀ, ପ୍ରଶାସନର ହାଇ ଆଲର୍ଟ, ସୁରକ୍ଷିତ ସ୍ଥାନକୁ…

ପୁରୁଷୋତ୍ତମପୁର୧୮।୧୧ (ସବିତା ମିଶ୍ର) : ଗତ ୧୫ ଦିନ ତଳେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାର କ୍ଷତ ଏଯାଏ ଶୁଖି ନ ଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି। ପୂର୍ବ ବାତ୍ୟାରେ ସର୍ବସ୍ୱ ହରାଇଥିବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଯେକୌଣସି ବିପଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀମାନେ ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। ଛତ୍ରପୁର ଉପଜିଲ୍ଲାପାଳ ଡଃ ଶିବାଶିଷ ବରାଳ, ତହସିଲଦାର ବିନୋଦ କୁମାର ବେହେରା ଏବଂ ଏନ୍‌ଏସି ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ବିଭିନ୍ନ ନଦୀତଳିଆ ଓ ଖାଲୁଆ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟର ତଦାରଖ କରୁଛନ୍ତି।

ପ୍ରଶାସନ ପକ୍ଷରୁ ଏନ୍‌ଏସି ଅଞ୍ଚଳର ପ୍ରାୟ ୨୦୦ ପରିବାର ସମେତ ବ୍ଲକର ବିଭିନ୍ନ ଗ୍ରାମର ପ୍ରାୟ ୧,୫୦୦ ପରିବାରଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରହିଥିବା ବିପନ୍ନମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯାଇଛି। ‘ଅର୍ଣ୍ଣବ’ର ଦୁଃଖ ଦୂର ନହେଉଣୁ ପୁଣି ‘ଅକ୍ୱାନ’ର ଭୟ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Share