ଅର୍ଚ୍ଚନା ଡର, ମୁହଁମୋଡ଼ି ପଳାଇଲେ ପୋଲିସ କମିଶନର

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ): ବଡ଼ବଡିଆ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କୁ ହନିଟ୍ରାପ୍‌ରେ ଫସାଇ ବିପୁଳ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଥିବା ରହସ୍ୟମୟୀ ଅର୍ଚ୍ଚନା ନାଗ ଏବେ ଜେଲରେ ଦିନ କାଟୁଛନ୍ତି। ତେବେ ତାଙ୍କ ଲିଙ୍କ୍‌ରେ ଥିବା ତଥା ସୁରକ୍ଷା ଦେଉଥିବା ବଡ଼ବଡ଼ିଆଙ୍କ ପାଖରେ ପହଞ୍ଚତ୍ବାକୁ କମିଶନରେଟ ପୋଲିସ ଚେଷ୍ଟା କରୁନାହିଁ। ୧୪ ଦିନିଆ ବିଚାର ବିଭାଗୀୟ ହାଜତ ଅବଧି ସମୟରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନ ଆଣିବା ଓ ପଚରାଉଚରା ନ କରିବା ଆଦିକୁ ନେଇ ପୋଲିସର ଦୁର୍ବଳ ତଦନ୍ତ ପଦାରେ ପଡିଥିବାବେଳେ ଖୋଦ୍‌ ପୋଲିସ କମିଶନରଙ୍କ ଆଭିମୁଖ୍ୟ କମିଶନରେଟ ପୋଲିସର ସ୍ଥିତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପ୍ରଥମରୁ ନୀରବଦ୍ରଷ୍ଟା ସାଜିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ଅର୍ଚ୍ଚନା ଗିରଫ ମାମଲାରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ନ ଦେଇ ମୁହଁ ମୋଡି ଚାଲିଯିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଅର୍ଚ୍ଚନା ଡର ଓ ଉଚ୍ଚ କ୍ଷମତାଶାଳୀଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଏଭଳି ନୀରବଦ୍ରଷ୍ଟା ସାଜିଥିବା କୁହାଯାଉଛି। ସେହିପରି ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ସମାନ ଦଫା ଲାଗିଥିଲେ ମଧ୍ୟ ସେମାନଙ୍କ ଉପରେ କାହିଁକି ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ ଦିନକୁ ଦିନ ଅର୍ଚ୍ଚନାଙ୍କ ସମ୍ପର୍କରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ କେନ୍ଦୁଗୁଡ଼ାରେ ଜନ୍ମିତ ଅର୍ଚ୍ଚନା ୨୦୦୧ ନଭେମ୍ବର ୯ରେ ଲାଞ୍ଜିଗଡ଼ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ୍‌ କରି ୨୦୦୮ ଯାଏ ପାଠ ପଢ଼ିଥିଲେ। ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ୨ଜଣ ଯୁବକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ଅର୍ଚ୍ଚନା ତାଙ୍କ ଗାଁ ଛାଡ଼ି କେସିଙ୍ଗାସ୍ଥିତ ମାମୁଘରକୁ ଚାଲି ଆସି ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିଲେ। ହେଲେ ପୂର୍ବ ସ୍କୁଲରୁ କୌଣସି ଟ୍ରାନ୍ସଫର୍‌ ସାର୍ଟିଫିକେଟ୍‌ ନ ଆଣି ସେଠାରେ ଆଡ୍‌ମିଶନ କରି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଅକ୍ଟୋବର ୬ରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନାଙ୍କ ୧୪ ଦିନିଆ ବିଚାର ବିଭାଗୀୟ ହାଜତର ଅବଧି ବୁଧବାର ସରିଥିଲା। ହେଲେ ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରା ନ ଯିବାରୁ ଅର୍ଚ୍ଚନାଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ କୋର୍ଟ ବଢ଼ାଇ ଦେଇଛନ୍ତି।