ଗଞ୍ଜାମ, ୧୭।୧୧(ବିଦ୍ୟାଧର ସାହୁ): ଅର୍ଣ୍ଣବ ବାତ୍ୟାର କ୍ଷୟକ୍ଷତି ଭରଣା ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବାତ୍ୟା ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଗଞ୍ଜାମ ଜିଲାକୁ ଆରେଞ୍ଜ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି।
ପବନର ବେଗ ଅଧିକ ରହିଲେ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଧାନ ଧରିଥିବା ଗଛଗୁଡ଼ିକ ଭୂଇଁରେ ଲୋଟିପଡ଼ିବାର ଭୟ ଚାଷୀଙ୍କୁ ଘାରିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଚାଷୀ ନିଜ ଜମିରୁ ଅଧା ପାଚିଲା ଧାନକୁ ହାର୍ଭେଷ୍ଟର ମେସିନ୍ ସାହାଯ୍ୟରେ କାଟି ନେଉଥିବା ଦେଖିବାକୁ ମିଳିଛି।
ପୂର୍ବ ବାତ୍ୟାର କ୍ଷୟକ୍ଷତିର ଆକଳନ ଓ ଭରଣା ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟା ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ବସିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ବ୍ଲକ୍ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି।
ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ୍ ପ୍ରଶାସନ ପ୍ରସ୍ତୁତ ରହିଥିବା ବିଡିଓ ଅଚ୍ୟୁତାନନ୍ଦ ଯାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିପାଇଁ ବ୍ଲକ୍ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇଛି ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ନଯାଇ ଘରେ ବସି ରହିଛନ୍ତି। ଏଭଳି ସ୍ଥିତିରେ ବାତ୍ୟା ଆଶଙ୍କା ଗଞ୍ଜାମର ଚାଷୀ ଓ ମତ୍ସ୍ୟଜୀବୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।