ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ, ମୁକାବିଲା ପାଇଁ ଜିଲା ପ୍ରଶାସନ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ବାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ ଅନେକ ରୋଡ଼ ଗର୍ତ୍ତ ହୋଇଯାଇଛି। କିଛି ଜାଗାରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ଲୋକେ ଜଳବନ୍ଦୀ ଅବସ୍ଥାରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୁର୍ଦ୍ଦଶାରୁ ଲୋକେ ମୁକୁଳି ନ ଥିବା ବେଳେ ଆସନ୍ତା ନଭେମ୍ବର ୨ ଓ ୩ ତାରିଖରେ ପୁଣି ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା ଗଞ୍ଜାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ପୁଣି ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ମାଇକ୍‌ ଯୋଗେ ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ନିଜ ଜୀବନର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମାଛଧରା ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପକ୍ଷରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳିନ ସେବା, ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସଜାଗ ରଖିବା ସହ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସମୟୋଚିତ ସୂଚନା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
ପୂର୍ବରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଏବେ ବି ରିଲିଫ ଓ ପୁନରୁଦ୍ଧାର ସହାୟତା ଉପରେ ନିର୍ଭର କରୁଥିବାରୁ ପୁଣି ବର୍ଷା ଓ ବାତ୍ୟାର ଆଶଙ୍କା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ତେଣୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share