ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତ ସୋମବାର ବେଲଘର କଲୋନୀ ସାହିର ଲୋକମାନେ ଛେଳି ଚରାଇବା ପାଇଁ ବେଲଘର ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ସମୟରେ ଛେଳି ଗୋଠ ଘରକୁ ଫେରିବା ବେଳେ ଏକ ହରିଣ ଛୁଆ ସେମାନଙ୍କ ସହ ମିଶି ଗାଁକୁ ଚାଲିଆସିଥିଲା ଏବଂ ଗୁହାଳ ଭିତରକୁ ପଶିଯାଇଥିଲା।

ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବେଲଘର ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲେ। ହରିଣ ଛୁଆଟି କେଉଁ ପରିସ୍ଥିତିରେ ଜଙ୍ଗଲରୁ ଆସି ଛେଳି ଗୋଠରେ ମିଶିଲା, ସେ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।

ଉଦ୍ଧାର ପରେ ତୁମୁଡ଼ିବନ୍ଧ ଗୋଷ୍ଠୀ ପ୍ରାଣୀଧନ ଅଧିକାରୀଙ୍କ ଦ୍ୱାରା ହରିଣ ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବାରୁ ସନ୍ଧ୍ୟା ୬ଟା ସମୟରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀଙ୍କ ଉପସ୍ଥିତିରେ ଗୁମାଏନ୍ ଡିପିଏଫ୍ (DPF) ଜଙ୍ଗଲରେ ହରିଣ ଛୁଆଟିକୁ ପୁନର୍ବାର ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଛି ବୋଲି ବେଲଘର ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share