ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର ପୂର୍ବାହ୍ନରେ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ପୈତୃକ ସମ୍ପତ୍ତିକୁ ନେଇ ତାଙ୍କର ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା। ପରିବାରର ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଭାପୁର ଫାଣ୍ଡିରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା। କିନ୍ତୁ ପୋଲିସ ଏକପାକ୍ଷିଆ ବିଚାର କରି ଆଇନଛାତ୍ର ସରୋଜ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମାମଲା ରୁଜୁ କଲେ। ଯାହା ଫଳରେ କି ସରୋଜଙ୍କ ଶିକ୍ଷାଗତ କ୍ୟାରିଅର ବାଧାପ୍ରାପ୍ତ ହେବ ବୋଲି ସରୋଜଙ୍କ ଅଭିଯୋଗ କରିଥିଲେ। ପୋଲିସର ନିର୍ଯାତନା ସହି ନ ପାରି ସରୋଜ ଓ ତାଙ୍କ ପିତା ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କାର୍ଯ୍ୟାଳୟରେ ଥିବା ପୋଲିସ କର୍ମଚାରୀ ଉଭୟଙ୍କୁ ଧରିନେଇଥିଲେ। ଉଭୟଙ୍କୁ ଆମୁଲାନ୍ସ ଡକାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି ବୋଲି ଏସ୍ପି ଅଭିନବ ସୋନକର କହିଥିଲେ।