Categories: ଖେଳ

ବିଶ୍ୱକପ୍‌ରେ ପିତା-ପୁତ୍ର

ରୋଜର ବିନ୍ନି-ଷ୍ଟୁଆର୍ଟ ବିନ୍ନି
ଭାରତର ପ୍ରଥମ ବିଶ୍ୱକପ୍‌ ବିଜେତା ଦଳରେ ହାଇଏଷ୍ଟ ଉଇକେଟ ଟେକର ତଥା ବର୍ତ୍ତମାନ ଭାରତୀୟ କ୍ରିକେଟ ବୋର୍ଡର ସଭାପତି ରୋଜର ବିନ୍ନି ଓ ତାଙ୍କ ପୁଅ ଷ୍ଟୁଆର୍ଟ ବିନ୍ନି ଭାରତ ପାଇଁ ବିଶ୍ୱକପ୍‌ ଖେଳିଛନ୍ତି। ରୋଜର ୧୯୮୩ ବିଶ୍ୱକପ୍‌ରେ ୧୮ ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ୨୦୧୪ରେ ଭାରତୀୟ ଦଳ ପାଇଁ ପଦାର୍ପଣ କରିଥିଲେ ଷ୍ଟୁଆର୍ଟ ବିନ୍ନି। ୨୦୧୫ ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ୨୦୧୬ରେ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ବିନ୍ନି।

ଜିଓଫ୍‌ ମାର୍ଶ-ଶନ୍‌ ମାର୍ଶ-ମିଚେଲ ମାର୍ଶ
ଅଷ୍ଟ୍ରେଲିଆର ଏହି ପିତା-ପୁତ୍ର ଯୋଡିରେ ୩ ଜଣ ଯାକ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ବେଳେ ବିଶ୍ୱକପ୍‌ ମଧ୍ୟ ଖେଳିଛନ୍ତି। ଜିଓଫ୍‌ ମାର୍ଶ ୧୯୮୭ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ। ଦୁଇଟି ଶତକ ସହ ସେ ୮ ମ୍ୟାଚ୍‌ରୁ ସ୍କୋର କରିଥିଲେ ୪୨୮ ରନ୍‌। ୨୦୧୫ରେ ବିଶ୍ୱବିଜେତା ରହିଥିବା ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ ମିଚେଲ୍‌ ମାର୍ଶ। ଉକ୍ତ ସଂସ୍କରଣରେ ସେ ୩ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ସେହିପରି ୨୦୦୮ରେ ପଦାର୍ପଣ କରିଥିବା ଶନ୍‌ ମାର୍ଶ ୨୦୧୯ ଦିନିକିଆ ବିଶ୍ୱକପ ଦଳରେ ସାମିଲ ଥିଲେ। ଶନ୍‌ ଏହା ପରଠାରୁ ଦିନିକିଆ କ୍ରିକେଟ ଖେଳି ନ ଥିବା ବେଳେ ମିଚେଲ ଚଳିତ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଦଳର ଅଂଶ ରହିଛନ୍ତି।

କେଭିନ୍‌ କୁରାନ୍‌-ଟମ୍‌ କୁରାନ୍‌- ସାମ୍‌ କୁରାନ
ଇଂଲଣ୍ଡର ଏହି ପିତା-ପୁତ୍ର ଯୋଡିରେ ୩ ଜଣ ଯାକ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ବେଳେ ବିଶ୍ୱକପ୍‌ ମଧ୍ୟ ଖେଳିଛନ୍ତି। ତେବେ କେଭିନ୍‌ କୁରାନ୍‌ ଜିମ୍ବାଓ୍ବେ ପାଇଁ ଖେଳିଥିବା ବେଳେ ଟମ୍‌ ଓ ସାମ୍‌ ଇଂଲଣ୍ଡ ପାଇଁ ବିଶ୍ୱକପ୍‌ ଖେଳିଛନ୍ତି। କେଭିନ୍‌ ୧୯୮୩ ଓ ୮୭ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ପାଇଁ ଖେଳିଥିବା ବେଳେ ଉଭୟ ଟମ୍‌ କୁରାନ ଓ ସାମ୍‌ କୁରାନ ୨୦୧୯ ବିଶ୍ୱକପ୍‌ରେ ଖେଳିଥିଲେ। ସାମ୍‌ କୁରାନ ଇଂଲଣ୍ଡର ଚଳିତ ବିଶ୍ୱକପ୍‌ ଦଳରେ ମଧ୍ୟ ସାମିଲ ଅଛନ୍ତି।

କ୍ରିସ୍‌ ବ୍ରଡ୍‌-ଷ୍ଟୁଆର୍ଟ ବ୍ରଡ୍‌
ବର୍ତ୍ତମାନ ମ୍ୟାଚ୍‌ ରେଫରି ରହିଥିବା କ୍ରିସ୍‌ ବ୍ରଡ୍‌ ୧୯୮୭ରେ ଇଂଲଣ୍ଡ ପାଇଁ ଦିନିକିଆ ବିଶ୍ୱକପ ଖେଳିଥିଲେ। ଇଂଲଣ୍ଡ ଅଷ୍ଟ୍ରେଲିଆଠାରୁ ହାରି ରନରଅପ୍‌ ରହିଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍‌ ୨୦୦୭, ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ। ୨୦୧୬ରେ ବ୍ରଡ୍‌ ଶେଷଥର ପାଇଁ ଦିନିକିଆ କ୍ରିକେଟ ଖେଳିଥିବା ବେଳେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି।

ରଡ୍‌ ଲଥାମ୍‌-ଟମ୍‌ ଲଥାମ୍‌
ନ୍ୟୁଜିଲାଣ୍ଡର ପିତା-ପୁତ୍ର ଯୋଡି ଭାବରେ ବିଶ୍ୱକପ୍‌ ଖେଳିଛନ୍ତି ରଡ୍‌ ଲଥାମ ଓ ଟମ୍‌ ଲଥାମ୍‌। ୧୯୯୨ ବିଶ୍ୱକପ୍‌ରେ ରଡ୍‌ ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଖେଳିଥିବା ବେଳେ ଟମ୍‌ ୨୦୧୫ ଓ ୨୦୧୯ ବିଶ୍ୱକପ୍‌ ଖେଳିଛନ୍ତି। ସେହିପରି ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ କେନ୍‌ ଓ୍ବିଲିୟମସନ୍‌ଙ୍କ ଅନୁପସ୍ଥିତିରେ ସେ ନ୍ୟୁଜିଲାଣ୍ଡର ନେତୃତ୍ୱ ମଧ୍ୟ ନେଇଛନ୍ତି।

Share