ଯୋଗାଉ ଥିଲେ ନକଲି ସାର୍ଟିଫିକେଟ: ବନ୍ଧା ହେଲେ ବାପ-ପୁଅ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ନକଲି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଭବାନୀପାଟଣା ଟାଉନ ଥାନା ପୋଲିସ ଶନିବାର ଅଭିଯୁକ୍ତ ଡାକ ମାଷ୍ଟର ପ୍ରଭାତ ମହାନନ୍ଦ ଏବଂ ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ବାପ-ପୁଅ ବୋଲି ଜଣାପଡିଛି।

ଅନ୍ୟପକ୍ଷେ ବାପା ପୁଅଙ୍କୁ ନକଲି ସାର୍ଟିଫିକେଟ ଯୋଗାଇ ଦେଉଥିବା ଜଣାପଡିଛି। ବାପା ପଦ୍ମନାଭ ସାପସିଲେଟ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଭବାନୀପାଟଣା ସଦର ଥାନା ଗୁଏପିଟା ଗାଁର ପଦ୍ମନାଭ ଆଶାୟୀ ପ୍ରାର୍ଥୀଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଉଥିବା ପୋଲିସକୁ ସୂଚନା ମିଳିଥିଲା । କେଗାଁ ଥାନା କୁପଟି ଗ୍ରାମର ଛନିକ ବାଗ ନକଲି ପ୍ରମାଣପତ୍ର ମାମଲାରେ ଧରାପଡ଼ିବା ପରେ ପଦ୍ମନାଭ ୩୦ ହଜାର ଟଙ୍କା ନେଇ ତାଙ୍କୁ ନକଲି ପ୍ରମାଣପତ୍ର ଦେଇଥିଲେ ବୋଲି ତଦନ୍ତ ବେଳେ ପୋଲିସକୁ କହିଥିଲେ। ଏ ନେଇ ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ବାପା, ପୁଅକୁ ଗିରଫ କରିଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।