ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍‌ ଚକା ତଳେ ପଡ଼ି ଜୀବନ ଗଲା

ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ। ସହରର ଗୋଲେଇ ନିକଟରେ ଜଣେ ବ୍ୟକ୍ତି ମଙ୍ଗଳବାର ବାଇକ୍‌ରେ ଏକ ଚାଉଳ ବସ୍ତା ନେଇ ଟ୍ରାଫିକ ପୋଷ୍ଟ ପାର ହେଉଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କର୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗାଡ଼ି ଚକା ତଳେ ପଡ଼ିଯିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବାଲେଶ୍ୱର ଜିଲା ଯୋଗାଣ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିପଦ ଦାସ। ତାଙ୍କ ଘର ସିଂଲା ଥାନା ଅନ୍ତର୍ଗତ ସାନଓସ୍ତିରେ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ୟାଙ୍କରକୁ ଜବତ କରାଯିବା ସହ ଡ୍ରାଇଭରକୁ ସହଦେବ ଖୁଣ୍ଟା ଥାନା ପୋଲିସ ଅଟକ ରଖିଛି। ଅନ୍ୟପଟେ ଦୁର୍ଘଟଣା ନେଇ ପରିବାରଲୋକଙ୍କୁ ଅବଗତ କରାଯିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ତେବେ ଆସନ୍ତା ୨୧ ତାରିଖରେ ହରିପଦଙ୍କ ପୁଅ ବାହାଘର ପାଇଁ ସ୍ଥିର ହୋଇଥିବା ବେଳେ ସେ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ବାଲେଶ୍ୱର ଆସିଥିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିବାରଲୋକେ କହିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।