ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡର ଜିତେନ୍ଦ୍ର କୁମାର (୪୫)।

ମିଳିଥିବା ସୂଚନା ଅନୁଯାୟୀ, ଜିତେନ୍ଦ୍ରଙ୍କ ପରିବାର ଲୋକେ ଗୁରୁବାର ଫୁର୍ଲିଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ହଠାତ୍‌ ଜଳପ୍ରପାତରେ ଜିତେନ୍ଦ୍ରଙ୍କ ୨ ନାବାଳକ ପୁଅ ଖସିପଡିଥିଲେ। ପୁଅଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ପାଣିକୁ ଡେଇଁଥିଲେ। ତେବେ ଜଳପ୍ରପାତ ଗଭୀରତା ଅଧିକ ଥିବାରୁ ଜିତେନ୍ଦ୍ର ପାଣିରେ ବୁଡିଯାଇଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜିତେନ୍ଦ୍ରଙ୍କ ପ୍ରକୃତ ଘର ବିହାର ବୋଲି ଜଣାପଡିଥିବା ବେଳେ ସେ ଟିଟିଲାଗଡରେ ରହି ଟ୍ରେନ୍‌ ଚଳାଉଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଭବାନୀପାଟଣା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୨୯/୨୧) ରୁଜୁ ହୋଇଛି।