ଜୟପାଟଣା,୨୭ା୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି। ଘଟଣାରେ ସମ୍ପୃକ୍ତ ବାପ-ପୁଅ ଜଗନ୍ନାଥ ଶବର ଓ ଦେସେରାମ ଶବରଙ୍କୁ ଜୟପାଟଣା ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନାନୁଯାୟୀ, ଗତ ୨୪ ତାରିଖରେ ମୃତକ ଶୁବେ ଶବର ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଚାଷ ଜମିରୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତ ବାପ-ପୁଅ ଲାଠି ଓ ଛୁରିରେ ଆକ୍ରମଣ କରିଥିଲେ। ଗୁରୁତର ଶୁବେ ଶବରଙ୍କୁ ପରିବାର ଓ ଗ୍ରାମବାସୀ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ପୂର୍ବରୁ ଚାଲିଥିବା ଜମିବାଡ଼ି ବିବାଦ ଏବଂ ସିଭିଲ ମାମଲାରେ ଶୁବେ ଶବରଙ୍କ ସପକ୍ଷରେ ରାୟ ଆସିବା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଠାରୁ ସୂଚନା ମିଳିଛି।