ବାଣ ଫୁଟାଇବାକୁ ବାରଣ କରିବାରୁ ବାପା-ପୁଅଙ୍କୁ ଆକ୍ରମଣ:

ବଲାଙ୍ଗିର, ୯।୧୧ (ସୁନିଲ କୁମାର ମହାନ୍ତି): ଦୀପାବଳିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ। ବାଣ ଫୁଟାଇବାକୁ ବାରଣ କରିବାରୁ ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ପଞ୍ଚାୟତର ବାଗଭାଡ଼ି ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଗ୍ରାମର ରାସ୍ତା ଉପରେ କିଛି ଯୁବକ ବାଣ ଫୁଟାଉଥିଲେ। ଏହାକୁ ବାରଣ କରିଥିଲେ ସେହି ଗ୍ରାମର ସୁଦାମ ସାହୁ ଓ ତାଙ୍କ ପୁଅ ଉଦୟ ସାହୁ। ତେବେ ଏହାକୁ ନେଇ ଯୁବକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଫଳରେ ଗ୍ରାମର ପାଞ୍ଚ ଜଣ ଯୁବକ ମିଶି ବାପା ଓ ପୁଅଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି।

ଏହି ଆକ୍ରମଣରେ ଉଭୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ, ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ସଦର ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

Share