ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଦ୍ରୁତଗାମୀ ମୋଟରସାଇକେଲ ଜଣେ ପଥଚାରୀଙ୍କୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପାରଳାଖେମୁଣ୍ଡି ଦାମୋଦର ବିହାର ବାସିନ୍ଦା ଆର୍ତ୍ତତ୍ରାଣ ପଣ୍ଡା। ସେହିପରି ଆହତ ବାଇକ୍ ଚାଳକଙ୍କ ନାମ ଏସ୍. କିରଣ ଏବଂ ତାଙ୍କ ଘର ପୁଡୁଣି ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଆର୍ତ୍ତତ୍ରାଣ ଶନି ମନ୍ଦିରରେ ପୂଜାର୍ଚ୍ଚନା ସାରି ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଅତି ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ବାଇକର ଗତି ଏତେ ଅଧିକ ଥିଲା ଯେ ଆର୍ତ୍ତତ୍ରାଣ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅପରପକ୍ଷରେ ବାଇକ୍ ଚାଳକ କିରଣ ମଧ୍ୟ ନିଜ ଭାରସାମ୍ୟ ହରାଇ କିଛି ଦୂରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଆର୍ତ୍ତତ୍ରାଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ କିରଣଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ବାଇକ୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

Dharitri – Odisha’s No.1 Odia Daily

Share