ଛତ୍ରପୁର,୨୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଚମାଖଣ୍ଡି ଥାନା ଅଧୀନ ବଡ଼ପୁଟି ଗ୍ରାମର ସୁରେଶ ବେହେରା (୨୬)।
ସୂଚନା ଅନୁଯାୟୀ, କଣମଣା ମୁଖ୍ୟ ରାସ୍ତା ନିକଟରେ ସୁରେଶ ଏବଂ ମହେନ୍ଦ୍ରଙ୍କ ବାଇକ ମଧ୍ୟରେ ସାମ୍ନାସାମ୍ନି ଭାବେ ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ସୁରେଶଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ବାଇକ ଆରୋହୀ ମହେନ୍ଦ୍ର ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଚମାଖଣ୍ଡି ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଏସ୍ଆଇ. ଲକ୍ଷ୍ମୀପ୍ରିୟା ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ତୁରନ୍ତ ଗୁରୁତର ଆହତ ମହେନ୍ଦ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ ପଠାଇଥିଲା। ସୁରେଶଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ (Post-mortem) କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ଦୁର୍ଘଟଣା ସମ୍ପର୍କରେ ଚମାଖଣ୍ଡି ଥାନାରେ କେସ ନମ୍ବର ଋ଼୧୮୩/୨୬ଋ଼ ରେ ଏକ ମାମଲା ରୁଜୁ କରାଯାଇଛି। ଏସ.ଆଇ. ଲକ୍ଷ୍ମୀପ୍ରିୟା ମଲ୍ଲିକ ନିଜେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି।