ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ : ସ୍ତ୍ରୀ ଗିରଫ

ରସୁଲପୁର,୨୦ା୬(ରଞ୍ଜିତ ରାଉତ): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ବଡ଼ କଇଁଚି ପଞ୍ଚାୟତ ବାଲିସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଅମୂଲ୍ୟ କୁମାର ଗୁରୁ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ । ୨୦୦୦ ମସିହାରେ ସେ ଧାମନଗର ନିକଟସ୍ଥ କଲ୍ୟାଣୀ ଗାଁର ବିଜୟଲକ୍ଷ୍ମୀ ଦାସଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ଯାଏଁ ଉଭୟଙ୍କ ଦାମ୍ପତ୍ୟ ଜୀବନ ଶାନ୍ତିରେ କଟିଥିଲା। ସେମାନଙ୍କ ପୁଅ ଏବଂ ଝିଅ ଅଛନ୍ତି। ସ୍ବାମୀ ଚାକିରୀରେ ଥିବାବେଳେ ବିଜୟଲକ୍ଷ୍ମୀଙ୍କ ସହ ବରୀ ରାମଚନ୍ଦ୍ରପୁର ଅଞ୍ଚଳର ଜଣେ ଯୁବକ ସହିତ ସମ୍ପର୍କ ଗଢି ଉଠିଥିଲା । ଅମୂଲ୍ୟ ଅବସର ପରେ ଏ କଥା ଜାଣି ପ୍ରତିବାଦ କରିଥିଲେ। ଗତ ପ୍ରଥମ ରଜ ରାତିରେ ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ସମ୍ପୃକ୍ତ ଯୁବକ ଓ ନିଜ ପୁଅ ସହ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅମୂଲ୍ୟ ଚେତା ଫେରିବା ପରେ ନିଜେ ଘରେ ହାତ ଗୋଡ ବନ୍ଧା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ସେଦିନ ଅମୂଲ୍ୟଙ୍କ ଝିଅ ସ୍ବାଗତିକା ମାମୁ ଘରୁ ଫେରିବା ପରେ ବାପାଙ୍କୁ ଖୋଜିଥିଲେ । ବିଜୟଲକ୍ଷ୍ମୀ ସ୍ବାମୀଙ୍କୁ ବନ୍ଧନ ମୁକ୍ତ କରି ବାପା ଦୁର୍ଘଟଣାରେ ଆହତ ହୋଇଥିବା ଝିଅଙ୍କୁ କହିଥିଲେ। ସେଦିନ ରାତିରେ ସମସ୍ତେ ଶୋଇ ପଡିବା ପରେ ଅମୂଲ୍ୟ ଛାତ ଉପର ଦେଇ କୁଆଖିଆ ଥାନାରେ ରାତି ୩ଟାରେ ପହଞ୍ଚି ଅଭିଯୋଗ କରିଥିଲେ । କୁଆଖିଆ ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରି ଏକ ମାମଲା(ନଂ.୧୯୩/୨୩) ରୁଜୁ କରିବା ସହ ସ୍ତ୍ରୀ ବିଜୟଲକ୍ଷ୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଜୟଲକ୍ଷ୍ମୀ ବଡ କଇଁଚି ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ଭାବେ କାମ କରୁଛନ୍ତି । ବିଜୟଲକ୍ଷ୍ମୀଙ୍କ ପ୍ରେମିକ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ତାଙ୍କୁ ଗିରଫ ପାଇଁ ପୋଲିସ ତନାଘନା ଜାରି ରଖିଛି । ଅଭିଯୁକ୍ତ ଫେରାର୍‌ ଅଛନ୍ତି ।