କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୪ ଗୁରୁତର

ବାହାନଗା,୧୦।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ନଇଁଛଣପୁର ଗ୍ରାମରେ କଦଳୀଗଛ କଟାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖନ୍ତାପ ଥାନା ନଇଁଛଣପୁର ଗ୍ରାମର ମାଧିଆ ସନ୍ଧିବିଗ୍ରହଙ୍କ ପରିବାର ଲୋକଙ୍କ ଆକ୍ରମଣରେ ରମେଶ ମଳିକଙ୍କ ସହ ପରିବାରର ୪ଜଣ ମହିଳା ଓ ପୁରୁଷ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖନ୍ତାପଡା ପୋଲିସ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନଇଁଛଣପୁର ଗ୍ରାମର ମାଧିଆ ସନ୍ଧିବିଗ୍ରହ ବାଡିରେ ଥିବା କଦଳୀ କାନ୍ଧିଟି ରମେଶ ମଳିକଙ୍କ ବାଡିକୁ ଓହଳି ପଡ଼ିଥିଲା। ତେବେ ରମେଶ ବାଡଦେବା ନିମନ୍ତ ମାଧିଆ ସନ୍ଧିବିଗ୍ରହ ପରିବାରକୁ କଦଳୀ ଗଛ କାଟିଦେଲେ ବାଡଦେବା ସହଜ ହେବ ବୋଲି କହିଥିଲେ। ହେଲେ ସନ୍ଧିବିଗ୍ରହ ପରିବାର ଲୋକେ କିଛି ନ ଶୁଣିବାରୁ ରମେଶଙ୍କ ପରିବାର ଲୋକ ବାଡ ଦେବାବେଳେ କଦଳୀ ଗଛକୁ କାଟି ଦେଇଥିଲେ। ସେହି ଘଟଣାକୁ ନେଇ ସନ୍ଧିବିଗ୍ରହଙ୍କ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ରମେଶଙ୍କ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛିି। ଖନ୍ତାପଡ଼ା ଥାନା ପୋଲିସ ୨ ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।